ବାଦାମ ଓ କୃଷି ଜାତୀୟ ଦ୍ରବ୍ୟ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତ କରେଳଧୁଆରେ ଆଜି ବାଦାମ ଏବଂ କୃଷି ଜାତୀୟ ଦ୍ରବ୍ୟ କେନ୍ଦ୍ରର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ମୋନିକା ସିଂ ଭୋଇ, ସ୍ଥାନୀୟ ବିଡିଓ ଚନ୍ଦ୍ରମଣି ନାଗ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, କେରମେଳି ସରପଞ୍ଚ ଅଶୋକ ସାହୁ, ସିଡିପିଓ ସବିତା ଦାସ ଓ ସଇଁନ୍ତଲା ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଉପସ୍ଥିତ ଥିଲେ । ମିଶନ ଶକ୍ତି ଦ୍ୱାରା ଅନେକ ମହିଳାଙ୍କ ହାତ ମୁଠା ଟାଣ ହୋଇ ପାରିଛି । ବିଭିନ୍ନ ପ୍ରକାରର ଦ୍ରବ୍ୟ ଉତ୍ପାଦନ କରି ମହିଳା ଗୋଷ୍ଠୀମାନେ ସ୍ୱାବଲମ୍ବୀ ମଧ୍ୟ ହୋଇଛନ୍ତି । ତେବେ ସମସ୍ତ ମହିଳା ଗୋଷ୍ଠୀର ସଦସ୍ୟାମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ସଫଳତା ହାସଲ କରିପାରିବେ ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଓରମାସ ଜଏନ ସିଇଓ କମଳେନ୍ଦୁ ପାଳଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓରମାସ ସିଇଓ ପ୍ରତିଜ୍ଞା ଉତ୍କଲିକା ଦାସ ଧନ୍ୟବାଦ ଦେଇଥିଲେ ।