ଆଜି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ,ଏନ୍ଏନ୍ଏସ୍: ଆଜି ଉଦଘାଟିତ ହେବ ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ। କଟକ ବାରଙ୍ଗ ବ୍ଲକ ଅରିଲୋ ଠାରେ ୩୦୦ କୋଟି ଟଙ୍କାର ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ଅଟୋମଟିକ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ କଟକ ନରାଜ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟ ଅରିଲୋ ଠାରେ ନିର୍ମିତ ହୋଇଛି। ଏହି ଅତ୍ୟାଧୁନିକ ଅଟୋମେଟିକ ଡାଏରୀ ପ୍ଲାଣ୍ଟକୁ ଦିନ ୧୧ଟା ୧୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଓ ସମ୍ପୂର୍ଣ୍ଣ ଅଟୋମେଟିକ ପ୍ଲାଣ୍ଟ ରାଜ୍ୟରେ ପ୍ରଥମ। ଏହି ମେଗା ପ୍ରକଳ୍ପଟି କେବଳ କଟକ ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଏକ ବଡ ଅବଦାନ ହୋଇପାରିବ। ଡାଏରୀ ପ୍ଲାଣ୍ଟ ମାଧ୍ୟମରେ ଓମଫେଡ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିପାରିବ। ଏହାଛଡା ଦିନକୁ ୨ ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ କରାଯାଇ ପାରିବ।

ଏଥିସହିତ ବିଭିନ୍ନ ପ୍ରକାର ଦୁଗ୍ଧଜାତ ଉତ୍ପାଦ ଯଥା ଘିଅ, ଦହି, ଲସି ଓ ପନିର ଭଳି ସାମଗ୍ରୀ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ହୋଇଛି। ଯାହା ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀଙ୍କ ପାଇଁ ନିଶ୍ଚୟ ଏକ ଖୁସିର ଖବର। ବନ୍ୟା, ବାତ୍ୟା ଓ ମହାମାରୀ ଭଳି ସମୟରେ ମଧ୍ୟ ଆଉ ଦୁଗ୍ଧ ବ୍ୟବସାୟୀଙ୍କୁ ହଇରାଣ ହେବାକୁ ପଡିବ ନାହିଁ କିମ୍ବା ମାର୍କେଟରେ କ୍ଷୀର ବିକ୍ରି କରି ନ ପାରିବା ଭଳି ଅସୁବିଧା ସୃଷ୍ଟି ହେବ ନାହିଁ। ରାଜ୍ୟର ସମସ୍ତ ଦୁଗ୍ଧ ଚାଷୀ ଏହି ମେଗା ପ୍ଲାଣ୍ଟ ଦ୍ବାରା ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ଆଗକୁ ଏହି ପ୍ଲାଣ୍ଟର କ୍ଷମତା ୧୦ ଲକ୍ଷ ଲିଟରକୁ ବଢ଼ାଯିବା ସହ ଏଠାରେ ଏକ ଟ୍ରେନିଂ ସେଣ୍ଟର ଓ ରିସର୍ଚ୍ଚ ଭଳି କାର୍ୟ୍ୟକ୍ରମ କରାଯିବାର ଯୋଜନା ରହିଛି।