ଲାପଟପ୍ ବାବଦ ଅର୍ଥ ପାଇଁ ଆବେଦନ କରିବେ +୨ ମେଧାବୀ, ନଭେମ୍ବର ୨୦ ଶେଷ ତାରିଖ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ ବାବଦ ଅର୍ଥରାଶି। ବାରମ୍ବାର ବିଭାଗୀୟ ନିର୍ଦ୍ଦେଶ ପରେ ମଧ୍ୟ ଏହି ଅର୍ଥ ନେଇନାହାନ୍ତି ଶିକ୍ଷାର୍ଥୀ। ଏସଏମଏସ୍ ଜରିଆରେ ଉକ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଚେଷ୍ଟା କରିଛି। ହେଲେ ଛାତ୍ରଛାତ୍ରୀ ନିଜର ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡର ସବିଶେଷ ବିବରଣୀ ଦେଇ ଅନଲାଇନ ପୋର୍ଟାଲରେ ଆବେଦନ କରୁନାହାନ୍ତି। ତେଣୁ ଏଯାଏଁ ସେମାନେ ଏହି ଅର୍ଥ ପାଇବାରୁ ବଞ୍ଚିତ ଅଛନ୍ତି। ଲାପଟପ୍ ବାବଦ ଅର୍ଥ ପାଇବା ପାଇଁ ଶେଷ ସୁଯୋଗ ଭାବେ ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୦ ତାରିଖ ମଧ୍ୟରେ ଆବେଦନ କରିପାରିବେ ଏହାପରେ କୌଣସି ଅଭିଯୋଗ ରଖାଯିବ ନାହିଁ ବୋଲି ଜଣାଇଛି ଉଚ୍ଚଶିକ୍ଷା ବିଭାଗ।

ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଯୋଜନାରେ ଲାପଟପ୍/ଡେକ୍ସଟପ୍ କିଣିବାକୁ ୩୦ ହଜାର ଟଙ୍କା ଦିଆଯାଉଛି। ବାରମ୍ବାର ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଉଛି ବିଭାଗ। ଲାପଟପ ଅର୍ଥ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ପୋର୍ଟାଲରେ ଆବେଦନ କରିବାକୁ କୁହାଯାଇଛି। www.dhe.odisha.gov.inରେ ସେମାନେ ଆବେଦନ କରିପାରିବେ। ଏଥିସହ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡର ସବିଶେଷ ବିବରଣୀ ଅନ୍‌ଲାଇନ ମାଧ୍ୟମରେ ଦେବାକୁ ନିର୍ଦ୍ଦେଶ ରହିଛି। ଆବେଦନର ସମୟସୀମା ଆସନ୍ତା ୨୦ ତାରିଖ ଯାଏଁ ଥିବାବେଳେ ଏହି ସମୟ ଅତିକ୍ରମ କରିବା ପରେ କୌଣସି ଆବେଦନ ପତ୍ର, ଦରଖାସ୍ତ ଓ ଅନୁରୋଧ ରକ୍ଷା କରାଯିବ ନାହିଁ ବୋଲି ଜଣାଇ ଦିଆଯାଇଛି। ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନାମ ସହ ଯୁକ୍ତ ଦୁଇ ପରୀକ୍ଷାର ରୋଲ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି।

ଆବେଦନ ସମୟରେ ସହାୟତା ପାଇଁ ଅଫିସ ନମ୍ବର 0674-2954600/ 8984266897ରେ ଯୋଗାଯୋଗ କରିପାରିବେ।