ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାରତ ସିକ୍ୟୁରିଟି ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ, ପ୍ଲମ୍ବର, ଇଲେକ୍ଟ୍ରିିସିଏନ ଓ ସୁପରଭାଇଜରମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କୁ କମ୍ପାନୀ ଏପର୍ଯ୍ୟନ୍ତ କୋଭିଡ ଇନସେନଟିଭ ପ୍ରଦାନ କରିନାହିଁ। ଏହାସହ ପ୍ରତି ମାସ ଉପଯୁକ୍ତ ସମୟରେ ଦରମା ପ୍ରଦାନ ତଥା କାମ କରିବା ସମୟରେ ଆବଶ୍ୟକ ସମସ୍ତ ଉପକରଣ ପ୍ରଦାନ କରୁନାହିଁ। କମ୍ପାନୀର ଏପରି ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ନିଜ ହକ ଦାବି କଲେ ଚାକିରିରୁ ବାହାର କରିଦେବା ପାଇଁ କମ୍ପାନୀ କର୍ତୃପକ୍ଷ ଧମକ ଦେଉଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଠିକା କର୍ମଚାରୀମାନେ କମ୍ପାନୀର ମନମୁଖୀ କାର୍ଯ୍ୟ ବିରୋଧରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରଣ କରିଛନ୍ତି। ଠିକା କମ୍ପାନୀର ଶୋଷଣରୁ ସେମାନଙ୍କୁ ରକ୍ଷା କରି ଶୀଘ୍ର କୋଭିଡ ଇନ୍ସେନ୍ଟିଭ ପ୍ରଦାନ, ପ୍ରତି ମାସ ସଠିକ ସମୟରେ ଦରମା ପ୍ରଦାନ ତଥା କାର୍ଯ୍ୟସ୍ଥଳୀରେ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ କମ୍ପାନୀ ପକ୍ଷରୁ ଯୋଗାଇବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଠିକା କର୍ମଚାରୀଙ୍କ ଏହି ଦାବି ପୂରଣ ନହେବା ଯାଏଁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି।