କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମୀ ଓ ପୁଲିସ କର୍ମୀଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ ଦେବଗଡ କୋଭିଡ ହସ୍ପିଟାଲରେ କରୋନା ପଜିଟିଭ ସଂକ୍ରମିତ ଜଣେ ପଞ୍ଚାୟତ ସ୍ତରୀୟ ନେତା ଉକ୍ତ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ କର୍ମଚାରୀମାନେ ହସ୍ପିଟାଲ ଆଗରେ ଧାରଣାରେ ବସିଥିଲେ। ସୂଚନା ଅନୁଯାୟୀ ଦେବଗଡ଼ କୋଭିଡ ହସ୍ପିଟାଲରେ ଗତ ୨୪ ତାରିଖରେ ଜିଲ୍ଲାର ଚିହ୍ନଟ ହୋଇଥିବା ୨୨ କରୋନା ସଂକ୍ରମିତଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରେ ରିଆମାଳ ଥାନା କଂସର ଫାଣ୍ଡି ଅଞ୍ଚଳର ପୁରୁଷୋତ୍ତମ ସାହୁ ନାମକ ପଞ୍ଚାୟତ ସ୍ତରୀୟ ଜଣେ ଜାତୀୟ ଦଳର ଜଣେ କର୍ମୀ ଥିଲେ।

ତେବେ ସେ କୋଭିଡ ହସ୍ପିଟାଲରେ ପହଞ୍ଚିବା ପରେ କୌଣସି ନା କୌଣସି ବାହାନା କରି କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଗତକାଲି କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ୩୦ରୁ ଊଦ୍ଦ୍ୱର୍ କର୍ମଚାରୀ ଲିଖିତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତେବେ ଆଜି ସକାଳ ପର୍ଯ୍ୟନ୍ତ ଉକ୍ତ କରୋନା ରୋଗୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କର୍ମଚାରୀମାନେ କାର୍ଯ୍ୟାବନ୍ଦ ଆନ୍ଦୋଳନ କରିଥିଲେ।

ସୂଚନାପାଇ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ, ଡିପିଏଚଓ ଡାକ୍ତର ମନୋଜ କୁମାର ପଣ୍ଡା, ଏଡିପିଏଚଓ ଡାକ୍ତର ପ୍ରଭାତ କୁମାର ଓଝା ଓ ଡିପିଏମ ଉମେଶ ପ୍ରସାଦ ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କୁ ବୁଝାସୁଝା କରିବା ପରେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହି କରୋନା ଯୋଦ୍ଧାଙ୍କ ପ୍ରତି ଏଭଳି ବ୍ୟବହାରକୁ ନେଇ ଶ୍ରୀ ସାହୁ ଅଶ୍ଲିଳ ଗାଳିଗୁଳଜ ସହ ଜାତିଆଣ ଆକ୍ଷେପ ଓ ସରକାରୀ ସମ୍ପତି ନଷ୍ଟ କରିବା ସହ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇଥିବା ନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଜାରି ରହିଛି।