ସଫେଇ କର୍ମଚାରୀ ସଙ୍ଘର ବୈଠକ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରପରିଷଦ ସଫେଇ କର୍ମଚାରୀ ସଙ୍ଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ ବସନ୍ତନିବାସ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ପୌରପରିଷଦ ସଫେଇ କର୍ମଚାରୀ ସଙ୍ଘର ସଭାପତି ଧର୍ମେନ୍ଦ୍ର କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ସଫେଇ କର୍ମଚାରୀ ମହାସଭା କାର୍ଯ୍ୟକାରୀ ସଭାପତି ଗୋକୁଳ ମେହେର, ସଂଘର ପରାମର୍ଶଦାତା ମାର୍କଣ୍ଡେଶ୍ୱର ଶତପଥୀ, ଆଇନ ପରାମର୍ଶଦାତା ଆଇନଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ସଫେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଓ ସେଗୁଡିକର ସମାଧାନ ନିମନ୍ତେ ଆଲୋଚନା କରିଛନ୍ତି।

ଏଥିସହ ସଙ୍ଘର ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ମୁଖ୍ୟତଃ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି, କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରାଯିବା ସହ ସେମାନଙ୍କ ମୌଳିକ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସଙ୍ଘର ବହୁ ପୁରୁଷ ଓ ମହିଳା ସଦସ୍ୟ ଅଂଶଗ୍ରହଣ କରିଥିଲେ।