ଓଡ଼ିଆପାଲିରେ ନୂତନ ପେକ୍ସ ଖୋଲିବା ବିରୁଦ୍ଧରେ ଦାବୀପତ୍ର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌:ଖପ୍ରାଖୋଲ ବ୍ଲକରେ ଥିବା ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ଭାଗ ଭାଗ କରି ଓଡ଼ିଆପାଲିରେ ଆଉ ଏକ ପେକ୍ସ ପାଇଁ ସମବାୟ ସମିତି ପକ୍ଷରୁ ପଞ୍ଜିକୃତକୁ ଅଞ୍ଚଳର ଚାଷୀମାନେ ବିରୋଧ କରି ଆଜି ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକୃତରେ ଭାଲୁଡୁଙ୍ଗୁରି ଚାଷୀଙ୍କ ଅଜାଣତରେ ଓଡ଼ିଆ ପାଲିରେ ଏକ ନୂତନ ପେକ୍ସ ଖୋଲିବା ପାଇଁ ଜାଲ ଦସ୍ତଖତ ହୋଇଥିବା ନେଇ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ପରେ ପାଟଣାଗଡ଼ରେ ଥିବା ଏଆରସିଏସ କାର୍ଯ୍ୟାଳୟକୁ ଯାଇ ସେଠାରେ ମଧ୍ୟ ଅନୁରୂପ ଦାବୀପତ୍ର ଉପଖଣ୍ଡର ଏଆରସିଏସ ଭିକାରି ଚରଣ ସେଠଙ୍କୁ ଦେଇଥିବା ଜଣାପଡ଼ିଛି । କିଛି ନ୍ୟାସ୍ତସ୍ୱାର୍ଥ ବ୍ୟକ୍ତି ନିଜ ଲୋକଙ୍କ ଥଇଥାନ ପାଇଁ ପ୍ରକୃତ ଚାଷୀଙ୍କୁ ନ ଜଣାଇ ସମିତି ପଞ୍ଜିକୃତ କରିବା ପାଇଁ ମସୁଧା କରୁଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି । ଏହି ସମୟରେ ଓଡ଼ିଆପାଲି ଗାଁର ନୀଳାମ୍ବର ବିଶ୍ୱାଳ, ପଞ୍ଚୁ ଦେବ ସାହୁ ଓ ପଞ୍ଚାନନ ବିଶ୍ୱାଳ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।