କୋରୁକୋଣ୍ଡା,ଏନ୍ଏନ୍ଏସ୍: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିଜ ଆଖିରେ ଦେଖିଲେ ହିଁ ବିଶ୍ୱାସ କରିହେବ। ଏହା କୌଣସି ପାର୍କ ନୁହେଁ ଏକ ସରକାରୀ ଡାକ୍ତରଖାନା। ଏହି ଡାକ୍ତରଖାନାକୁ ପ୍ରବେଶ କଲେ ପାର୍କ ଓ ଉଦ୍ୟାନର ଭ୍ରମ ସୃଷ୍ଟି କରୁଛି। ସାଧାରଣତଃ ସରକାରୀ ଡାକ୍ତରଖାନା ପରିସରରେ ଅଳିଆ ଗଦା, ମେଡିକାଲ ଭିତର କାନ୍ଥ ମାନଙ୍କରେ ପାନଛେପ ଦାଗକୁ ଦେଖି ଲୋକମାନେ ଯିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏହି ସବୁକୁ ଭୁଲ ପ୍ରମାଣିତ କରିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ର। ପରିଷ୍କାର ପରିଚ୍ଛନ୍ନ ସହ ଚିକିତ୍ସାଳୟର ସୌନ୍ଦର୍ଯ୍ୟକରଣ ଦେଖିଲେ କୌଣସି ବେସରକାରୀ ଡାକ୍ତରଖାନାର ଭ୍ରମ ସୃଷ୍ଟି କରୁଛି। ଡାକ୍ତରଖାନାର ଚେହେରା ଚିକିତ୍ସାଧିକାରୀ ଓ ସମସ୍ତ କର୍ମଚାରୀଙ୍କ ପ୍ରଚେଷ୍ଟା ଓ ଆନ୍ତରିକତା ପାଇଁ ସଂପୂର୍ଣ୍ଣ ବଦଳି ଯାଇଛି।
