ନୂଆଦିଲ୍ଲୀ: କରୋନା ସଙ୍କଟ ନସରୁଣୁ ଚୀନରେ ଆଉ ଏକ ଆତଙ୍କ ସୃଷ୍ଟି ହୋଇଛି। ମଙ୍ଗୋଲିଆ ସ୍ୱୟଂଶାସିତ ଅଞ୍ଚଳରେ ବୁବୋନିକ ପ୍ଲେଗ ନାମକ ରୋଗ ଦେଖିବାକୁ ମିଳିଛି। ଏହି ରୋଗ ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ବୁବୋନିକ ପ୍ଲେଗରେ ୨୭ ଓ ୧୭ ବର୍ଷୀୟ ଦୁଇ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ର ଅନୁସାରେ, ଦୁହେଁ ମିଶି ଗୁଣ୍ଡୁଚିମୂଷା ପ୍ରଜାତିର ପ୍ରାଣୀକୁ ମାରି ଖାଇବା ପରେ ଏହି ରୋଗରେ ସଂକ୍ରମିତ ହୋଇଥିଲେ। ପରେ ସମ୍ପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୪୬ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ୨୦୧୯ ନଭେମ୍ବରରେ ମଙ୍ଗୋଲିଆରେ ୪ଜଣ ବୁବୋନିକ ପ୍ଲେଗରେ ଆକ୍ରାନ୍ତ ହୋଇଥିଲେ। ସାଧାରଣତଃ ଏହି ରୋଗ ମୂଷାମାନଙ୍କଠାରୁ ସଂକ୍ରମିତ ହୋଇଥିଲେ ହେଁ ଅନ୍ୟ ପ୍ରାଣୀଙ୍କଠାରେ ମଧ୍ୟ ଏହାର ଜୀବାଣୁ ଦେଖିବାକୁ ମିଳିଥାଏ।
ସିଟି ହେଲଥ କମିଶନ ଏହି ରୋଗର ଭୟାବହାତାକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମୂଷା ଶିକାର କରିବାକୁ ବାରଣ କରିଛନ୍ତି, ଯେଉଁଥିରୁ ପ୍ଲେଗ ହେବାର ସମ୍ଭାବନା ଅଧିକ ରହିଛି। ଏଥିସହିତ ମରି ଯାଇଥିବା କିମ୍ବା ଅସୁସ୍ଥ ଥିବା ମୂଷା ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି।