ବେଜିଂ,ଏଜେନ୍ସି: ପ୍ରଥମ ଥର ପାଇଁ ଚୀନ୍ର ତିନିଜଣ ମହାକାଶଚାରୀ ଗୁରୁବାର ମହାକାଶ ସ୍ଥିତ ଚୀନ୍ ନିର୍ମିତ ସ୍ପେସ୍ ଷ୍ଟେସନରେ ପହଞ୍ଚିଛନ୍ତି। ଏହାକୁ ଚୀନ୍ ମହାକାଶ ଅଭିଯାନର ଏକ ବଡ ସଫଳତା ବୋଲି ବିବେଚନା କରାଯାଇଛି। ଚୀନ୍ର ଗୋବି ମରୁଭୂମି ସ୍ଥିତ ଜିଉକ୍ୟୁୟାନ୍ ପ୍ରକ୍ଷେପଣ କେନ୍ଦ୍ରରୁ ତିନି ମହାକାଶଚାରୀଙ୍କୁ ନେଇ ସେନ୍ଝୌ-୧୨ ମହାକାଶଯାନ ଯାତ୍ରାରମ୍ଭ କରିଥିଲା। ପ୍ରାୟ ୭ ଘଣ୍ଟା ପରେ ଏହା ଚୀନ୍ ନିର୍ମିତ ସ୍ପେସ୍ ଷ୍ଟେସନ ‘ତିଆନ୍ହେ’ ସହ ସଂଯୁକ୍ତ ହୋଇଥିଲା। ତିନି ମହାକାଶଚାରୀ ମେନ୍ ଲିଭିଙ୍ଗ୍ ମଡ୍ୟୁଲକୁ ପ୍ରବେଶ କରିସାରିଛନ୍ତି। ଏମାନେ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ମହାକାଶରେ ଅବସ୍ଥାନ କରି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବେ ବୋଲି ଜଣାପଡିଛି। ଏଥିସହିତ ଉକ୍ତ ଷ୍ଟେସନର ମରାମତି କାର୍ଯ୍ୟକୁ ମଧ୍ୟ ସେମାନେ ସମ୍ପାଦନ କରିବେ ବୋଲି କୁହାଯାଇଛି। ଆସନ୍ତାବର୍ଷ ଚୀନ୍ ପକ୍ଷରୁ ଆଉ ଦୁଇଟି ଲାବୋରଟୋରୀ ମଡ୍ୟୁଲ ସେଠାକୁ ପଠାଯିବାର କାର୍ଯ୍ୟକ୍ରମ ରହିଛି। ସେଗୁଡିକୁ କିଭଳି ଖଞ୍ଜାଯିବ, ସେ ସମ୍ପର୍କରେ ମଧ୍ୟ ଏହି ମହାକାଶଚାରୀ ସ୍ଥିତି ଅନୁଧ୍ୟାନ କରିବେ।
ଜାତୀୟ ଟେଲିଭିଜନରେ ଏହି ଐତିହାସିକ ମହାକାଶ ଯାତ୍ରାର ସିଧା ପ୍ରସାରଣ କରାଯାଇଥିଲା ବୋଲି ଚୀନ୍ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। କକ୍ଷପଥରେ ପହଞ୍ଚିବାପରେ ମହାକାଶଚାରୀମାନେ ଆନନ୍ଦରେ ସେମାନଙ୍କର ହେଲମେଟ୍ ଭାଇଜର (କାଚ) ଟେକି ହାତ ହଲାଇଥିଲେ। ଯାତ୍ରା ପୂର୍ବରୁ ତିନି ମହାକାଶଚାରୀ ପ୍ରକ୍ଷେପଣ କେନ୍ଦ୍ରରେ ଉପସ୍ଥିତ ମହାକାଶ ବିଜ୍ଞାନୀ, ସମର୍ଥକ ଓ ଅନ୍ୟ ଅଧିକାରୀଙ୍କୁ ଅଭିବାଦନ ଜଣାଇଥିଲେ। ଏହି ଅବସରରେ ଚୀନ୍ର ଜାତୀୟ ସଙ୍ଗୀତର ଧୁନ୍ ବାଜିଥିଲା। ଚୀନ୍ ବାୟୁସେନାର ଦକ୍ଷ ପାଇଲଟ୍ ନି ହାଇସେଙ୍ଗ୍ ଏହି ମହାକାଶ ଯାନର ମିଶନ କମାଣ୍ଡର ଦାୟିତ୍ୱ ତୁଲାଇଥିବାବେଳେ ଅନ୍ୟ ଦୁଇ ମହାକାଶଚାରୀ ହେଉଛନ୍ତି ଚୀନ୍ ସେନାର ପଦସ୍ଥ ଅଧିକାରୀ।