ଚୀନ୍‌ରେ ପ୍ରଥମକରି ମଣିଷକୁ ସଂକ୍ରମିତ ହେଲା ବାର୍ଡ ଫ୍ଲୁ

ବେଜିଂ,ଏଜେନ୍ସି: ଚୀନ୍‌ରୁ କରୋନା ଭୂତାଣୁର ଉତ୍ପତ୍ତି ଘଟିଥିବା ନେଇ ଏବେ ବି ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଥିଲାବେଳେ ସେଠାରେ ମଣିଷକୁ ବାର୍ଡ ଫ୍ଲୁ ସଂକ୍ରମିତ ହେବା ଦେଖାଯାଇଛି। ଚୀନ୍‌ର ଜିଆଙ୍ଗସୁ ପ୍ରଦେଶ ଅନ୍ତର୍ଗତ ଝେନଜିଆଙ୍ଗ ସହରରେ ଜଣେ ୪୧ବର୍ଷୀୟ ବ୍ୟକ୍ତି ବାର୍ଡ ଫ୍ଲୁର-ଏଚ୍‌୧୦ଏନ୍‌୩ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜାତୀୟ ସ୍ୱାସ୍ଥ୍ୟ କମିସନ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ରାଷ୍ଟ୍ରାୟତ୍ତ ସିଜିଟିଏନ୍‌-ଟିଭି ରିପୋର୍ଟ କରିଛି।

ଅନ୍ୟ କାହାରିକୁ ଏହା ସଂକ୍ରମିତ ହୋଇନାହିଁ। କୁକୁଡ଼ା ଠାରୁ ଏହି ଭୂତାଣୁ ମଣିଷକୁ ସଂକ୍ରମିତ ହୋଇଛି। ଏହା ମହାମାରୀ ରୂପ ନେବାର ସମ୍ଭାବନା କମ୍ ବୋଲି ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିଶନ କହିଛି। ଗତ ଏପ୍ରିଲ ମାସରେ ଚୀନ୍‌ର ସେନୟାଙ୍ଗ ସହରରେ ଇନଫ୍ଲୁଏଞ୍ଜା ଭୂତାଣୁର ଏକ ପ୍ରଜାତି ଏଚ୍‌୫ଏନ୍‌୮ ଜଙ୍ଗଲୀ ଚଢ଼େଇଙ୍କ ଠାରେ ଚିହ୍ନଟ ହୋଇଥିଲା। ତେବେ ଏହା ସେତେ ମାରାତ୍ମକ ନୁହେଁ।