ଦେଶରେ ଏଥର ସ୍ୱାଭାବିକ ହେବ ମୌସୁମୀ ପ୍ରବାହ: ଆଇଏମ୍‌ଡି

ନୂଆଦିଲ୍ଲୀ,ଏଜେନ୍ସି: ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ କ୍ରମାଗତ ଭାବେ ପୂର୍ବାନୁମାନ ଜାରି ରହିଛି। ଆଇଏମ୍‌ଡିର ସଦ୍ୟ ଆକଳନ ଅନୁଯାୟୀ ଏଥର ଉତ୍ତର ଓ ଦକ୍ଷିଣ ଭାରତରେ ମୌସୁମୀ ପ୍ରବାହ ସ୍ୱାଭାବିକ ହେବ ଏବଂ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବ। ଆଇଏମ୍‌ଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା (ଜୁନ୍‌ରୁ ସେପ୍ଟେମ୍ବର) ଚଳିତ ବର୍ଷ ସାଧାରଣ ଦୀର୍ଘକାଳୀନ ହାରାହାରି(ଏଲ୍‌ପିଏ)ର ୧୦୧ ପ୍ରତିଶତ ହେବ। ତେବେ ଏଲ୍‌ପିଏର ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ସାମାନ୍ୟ ଏପଟ ସେପଟ ହେବାର ୪୦ ପ୍ରତିଶତ ସମ୍ଭାବନା ରହିଛି। ଅର୍ଥାତ୍ ହାରାହାରି ବୃଷ୍ଟିପାତ (୮୮ ସିଏମ୍‌) ୧୯୬୧ରୁ ୨୦୧୦ ପର୍ଯ୍ୟନ୍ତ ମୌସୁମୀ ବର୍ଷା ଏଲ୍‌ପିଏର ୮୮ ସେଣ୍ଟିମିଟର ରହିଥିଲା। ଆସନ୍ତା ୩ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଏଥିପୂର୍ବରୁ ଆଇଏମ୍‌ଡି ପକ୍ଷରୁ କୁହାଯାଇଥିଲା।