ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ: ଜଣେ ଅଫିସର, ଦୁଇ ଯବାନ ସହିଦ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଗତ କିଛିଦିନ ହେବ ଲଦାଖରେ ଲାଗି ରହିଥିବା ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି। ସୋମବାର ରାତିରେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଫଳରେ ଭାରତୀୟ ସେନାର ଜଣେ ଅଫିସର ଓ ଦୁଇ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣ ଯୋଗୁ ଚୀନ ସେନାର ବି କ୍ଷତି ଘଟିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଉଭୟ ସେନାର ବରିଷ୍ଠ ଅଧିକାରୀ ସ୍ଥିତିକୁ ଶାନ୍ତ କରିବା ପାଇଁ ବୈଠକ କରୁଛନ୍ତିି।

ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ମେ’ ମାସର ପ୍ରାରମ୍ଭରୁ ହିଁ ଲଦାଖ ସୀମାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଚୀନ ସୈନକ ଏଲଏସି ଅତିକ୍ରମ କରି ଗଲୱାନ ଘାଟି ପହଂଚି ଯାଇଥିଲେ। ଚୀନ ପକ୍ଷରୁ ଏଠାରେ ପାଖିପାଖି ୫ ହଜାର ସୈନିକ ନିୟୋଜିତ ହୋଇଛନ୍ତି। ଏସବୁ ଘଟଣା ପରେ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଜୁନ୍ ୬ରୁ ସିଓଠୁ ଆରମ୍ଭ କରି ଲେଫ୍ଟନେଣ୍ଟ ଜେନେରାଲ ସ୍ତରର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏଭଳି ସ୍ଥିତିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବହୁବାର ଉଭୟ ଦେଶ ଶାନ୍ତି ଚାହୁଁଥିବା ବୟାନ ଦେଇଛନ୍ତି।