ଚୀନର ବ୍ୟବହାର ଏମିତି ରହିଲେ ଆମକୁ ଭିନ୍ନ ଉପାୟ ଆପଣାଇବାକୁ ପଡ଼ିବ: ଆମେରିକା ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପମ୍ପିୟୋ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କି, ଚୀନ ଦୁନିଆକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି। ଚୀନ ଯଦି ସୀମାରେ ଭାରତ ଉପରେ ଏପରି ଚାପ ପକାଇବ ଆମକୁ ସେନେଇ ଏକ ଭିନ୍ନ ଉପାୟ ଆପଣାଇବାକୁ ପଡ଼ିବ। ଚୀନର କମ୍ୟୁନିଷ୍ଟ ପାର୍ଟି ପଡ଼ୋଶୀ ରାଷ୍ଟ୍ର ସହ ଏମିତି ବ୍ୟବହାର ପ୍ରଦର୍ଶନ କରୁଛି ଯାହାର ପରିଣାମ ସମଗ୍ର ବିଶ୍ୱ ଉପରେ ପଡ଼ୁଛି।

ଏହାପୂର୍ବରୁ ଏଲଏସିରେ ସଂଘର୍ଷ ସମୟରେ ପ୍ରାଣାହୁତିକୁ ନେଇ ଆମେରିକାର ବିଦେଶ ମନ୍ତ୍ରୀ କହିଥିଲେ କି, ‘ଭାରତର ସହିଦ ଯବାନଙ୍କୁ ଆମେରିକା କେବେ ବି ଭୁଲିବ ନାହିଁ। ଏଥର ଚୀନ ବିରୋଧରେ ଆମେରିକାର ଏହି ବୟାନ ଦର୍ଶାଉଛି କି ଦୁଇ ଦେଶର ସମ୍ପର୍କ ଦିନକୁଦିନ ଖରାପ ହେବାରେ ଲାଗିଛି। ପମ୍ପିୟୋ ଆହୁରି କହିଛନ୍ତି କି, ଚାଇନିଜ କମ୍ୟୁନିଷ୍ଟ ପାର୍ଟି ହଂକଂର ସ୍ୱତନ୍ତ୍ରତା ସମାପ୍ତ କରିବା ଓ ସଂଯୁକ୍ତ ରାଷ୍ଟ୍ର ମାଧ୍ୟମରେ ହୋଇଥିବା ଚୁକ୍ତିକୁ ଉଲଂଘନ କରିବାକୁ ଚେଷ୍ଟା କରୁଥିବା ସମଗ୍ର ବିଶ୍ୱ ପ୍ରତିଦିନ ଦେଖୁଛି।

ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ରାତିରେ ଟ୍ୱିଟରରେ ଏକ ବୟାନ ଜାରି କରିଥିଲେ। ଟ୍ରମ୍ପ କହିଥିଲେ କି, ‘ଆମ ପାଖରେ ଚୀନ ସହ ସମ୍ପର୍କ ଶେଷ କରିବାର ବିକଳ୍ପ ରହିଛି।’ ଖାସ୍ କଥାଟି ହେଲା ଆମେରିକା କେଉଁ କାରଣରୁ ଚୀନ ସହ ସମ୍ପର୍କ ତୁଟାଇବାକୁ ଚାହୁଁଛି ସେସମ୍ପର୍କରେ ଟ୍ରମ୍ପ କିଛି କହିନାହାନ୍ତି।