ଭୁବନେଶ୍ୱର,ଏନ୍ଏନ୍ଏସ୍: କଥାରେ ଅଛି; ବାପା ହେଲେ ଜାଣିବ- ବାପା କ’ଣ, ବାପା ଗଲେ ଜାଣିବ- ବାପା କ’ଣ। ବାସ୍ତବରେ ବାପାଙ୍କୁ ଜାଣିବା ଏତେ ସହଜ ନୁହେଁ। ସନ୍ତାନକୁ ବଡ଼ କରିବା ପାଇଁ ସେ ସହୁଥିବା କଷ୍ଟକୁ କିଭଳି ଢ଼ଙ୍ଗରେ ସହୁଥାଏ, ତାହା ସବୁ ବାପାଙ୍କ କାହାଣୀ। ମାତ୍ର ବାପାଙ୍କର ଏହି କଷ୍ଟକୁ ସ୍ୱିକାର କରିବା ସହିତ ତାଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରି ଗୀତଟି ପ୍ରସ୍ତୁତ ହୋଇଛି-ଯାହାର ନାଁ ରହିଛି ‘ବାପା.. ଭିନ୍ନ ଜଣେ ଈଶ୍ୱର’।
ଏହି ଗୀତଟି ପିତୃତ୍ୱ ଦିବସ ଅବସରରେ ଅରମାନ୍ ମ୍ୟୁଜିକରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏଥିରେ ଗୀତିକାର ଅଛନ୍ତି ସୁବ୍ରତ ସ୍ୱାଇଁ, ସଂଗୀତକାର ଅଛନ୍ତି ଜାପାନୀ ଏବଂ କଣ୍ଠଶିଳ୍ପୀ ଅଛନ୍ତି ସବିଶେଷ।
ଏହି ଗୀତଟି ଏଇଭଳି ଏକ କବିତାରୁ ଆରମ୍ଭ ହୋଇଛି-
‘‘ଚପଲ ପିନ୍ଧୁ ନ ଥିବା ପାଦ ତମର
କେମିତି ସହେ ଏତେ କଣ୍ଟା?
ଚଷମା ପିନ୍ଧୁ ନ ଥିବା ଆଖି ତମର
କେମିତି ଲୁଚାଇ ପାରେ ଅସରା ଅସରା ଲୁହ?
ବାପା!
ତମେ ମାଟି ସହ ମାଟି ହେଲା ବେଳେ
ମଣିଷ ପରି ଦିଶନି
ଲାଗୁଥାଅ ସାକ୍ଷାତ ଈଶ୍ବର ।’’
ଏହି ଗୀତଟି ଯିଏବି ଶୁଣିବ ଭାବପ୍ରବଣ ହେବା ନିଶ୍ଚିତ। ତେବେ ମୋଟାମୋଟି ଭାବେ ଏହି ଗୀତଟି ପୃଥିବିର ସବୁ ବାପାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଗୀତିକାର ସୁବ୍ରତ ସ୍ୱାଇଁ। ଏହି ଗୀତର ଷ୍ଟୁଡିଓ ଭରସନଠାରୁ ଆରମ୍ଭ କରି ଲିରିକ ଓ ଭିଡିଓ ଭରସନ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ତେବେ ଏହା ଭିଡିଓ ଭରସନରେ ପ୍ରସିଦ୍ଧ ହାସ୍ୟ ଯୋଡି ପ୍ରଜ୍ଞା-ଶଙ୍କର ଅଭିନୟ କରିଥିବା ବେଳେ ନିଛକ ଗ୍ରାମାଞ୍ଚଳରେ ଏହାର ସୁଟିଂ ହୋଇଥିବା ଜଣାଯାଇଛି।