ଏଲଏସିରେ ଟ୍ୟାଙ୍କ ମୁତୟନକଲା ଚୀନ୍ , ଭାରତ ବି ପ୍ରସ୍ତୁତ

ବେଜିଂ,ଏଜେନ୍ସି:  ଲଦାଖସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ଉପୁଜିଥିବା ସୀମା ବିବାଦ ଥମିବାର ନାଁ ନେଉନଥିବାବେଳେ ବର୍ତ୍ତମାନ ଚୀନ ଏହି ସ୍ଥିତିକୁ ଅଧିକ ଜଟିଳ କରୁଥିବା ଜଣାପଡିଛି। ଗୋଟିଏ ପଟେ ସୀମାରୁ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରିବାକୁ ଭାରତ-ଚୀନ ମଧ୍ୟରେ ଏକାଧିକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେଉଥିବାବେଳେ ଅନ୍ୟପଟରେ ଚୀନ୍ ସେହି ଅଞ୍ଚଳରେ ସଂଖ୍ୟାଧିକ ଟ୍ୟାଙ୍କ ମୁତୟନ କରୁଥିବା ଲକ୍ଷ୍ୟ କରାଯାଇଛି। ପୂର୍ବ ଲଦାଖର ରିଜାଙ୍ଗ୍ ଲା, ରେଚିନ୍ ଲା ଓ ମୁଖୋଶ୍ରୀଠାରେ ଥିବା ଭାରତର ଆଗୁଆ ଘାଟି ସମ୍ମୁଖରେ ଚୀନ ଏହି ଟ୍ୟାଙ୍କଗୁଡିକୁ ମୁତୟନ କରିଛି।

ଏଥିରୁ ସମାଧାନ ପରିବର୍ତ୍ତେ ସୀମା ବିବାଦକୁ ଅଧିକ ସ୍ପର୍ଶକାତର କରିବାକୁ ଚୀନ୍ ଦୀର୍ଘମିଆଦୀ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ଏହି ଅଞ୍ଚଳରେ ଚୀନ୍ ପ୍ରାୟ ୩୦ରୁ ୩୫ଟି ଅତ୍ୟାଧୁନିକ ଟ୍ୟାଙ୍କ ଭାରତ ଆଡକୁ ମୁହାଁଇ ରଖିଛି। ଏ ସଂକ୍ରାନ୍ତ ଏକ ଭିଡିଓ ଭାରତୀୟ ଗଣମାଧ୍ୟମର ହସ୍ତଗତ ହେବାପରେ ଚୀନର ଅସଲ ଉଦ୍ଦେଶ୍ୟ ନେଇ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ଗତବର୍ଷ ଅଗଷ୍ଟରେ ଚୀନ୍ ସୈନ୍ୟ ଏହି ପାର୍ବତ୍ୟ ଘାଟିଗୁଡିକୁ ଅକ୍ତିଆର କରିଥିଲେ ସୁଦ୍ଧା ଭାରତୀୟ ଯବାନ ସେମାନଙ୍କୁ ତଡିବା ସହ ଏହି ଘାଟିଗୁଡିକୁ ପୁଣି ନିଜ କବ୍ଜାକୁ ଆଣିଥିଲେ। ଚୀନ୍ର ଏହି ନୂଆ ଚାଲବାଜିକୁ ପ୍ରତିହତ କରିବାକୁ ଭାରତୀୟ ଯବାନ ସେଠାରେ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି।  ସମୁଦ୍ର ପତ୍ତନଠାରୁ ୧୭୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ଅଞ୍ଚଳରେ ଚୀନର କୌଣସି ଚକ୍ରାନ୍ତର ଉଚିତ ମୁକାବିଲା କରିବାକୁ ଭାରତ ବହୁପୂର୍ବରୁ ସେଠାରେ ନିଜର ଟ୍ୟାଙ୍କ ମୁତୟନ କରିସାରିଛି।