କିଶୋର ନ୍ୟାୟ ବ୍ୟବସ୍ଥା ଓ ଶିଶୁ ମିତ୍ର ପୁଲିସ ସମ୍ପର୍କିତ ଜିଲ୍ଲା ସମ୍ମିଳନୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଅବାହକତ୍ଵ ଓ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗଙ୍କ ସଭାପତିତ୍ଵରେ “କିଶୋର ନ୍ୟାୟ ବ୍ୟବସ୍ଥା ଓ ଶିଶୁ ମିତ୍ର ପୁଲିସ” ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା ଓ ନ୍ୟାୟ ବ୍ୟବସ୍ଥାକୁ ସୃଦୃଢ ଓ ଶିଶୁ ମିତ୍ର ବିଧେୟକ କରିବା ପାଇଁ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସ୍ଵତନ୍ତ୍ର ଅତିଥି ଭାବେ ଅରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ ଯୋଗଦେଇ “ଶିଶୁ ମିତ୍ର ଥାନା ଓ ପୁଲିସର ଭୂମିକା” ସମ୍ପର୍କରେ ଆଲୋଚନା କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର କିଶୋର ନ୍ୟାୟ ଅଧିନିୟମ-୨୦୧୫ରେ ବିହିତ ଥିବା ଶିଶୁମାନଙ୍କ ପାଇଁ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଡିଭିଜନାଲ ଲେବର କମିସନର ପ୍ରସନ୍ନ ସିଂ, ଡିଏସ୍‌ପି ପ୍ରଦୀପ କେରକେଟା, ଡିଏସ୍‌ପି ଅମୃତା ମହାନ୍ତି, ଦେବଗଡ ଓକିଲ ସଂଘର ସଭାପତି ସଚିକାନ୍ତ ଦାସ ପ୍ରମୁଖ ମଞ୍ଚାସୀନ ରହି ଶିଶୁ ସୁରକ୍ଷା ଓ ବିକାଶ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଓ ଆଇନ ବିଷୟରେ ନିଜର ମତ ଉପସ୍ଥାପନ କରିଥିଲେ। ପୁଲିସକୁ ଶିଶୁ ମିତ୍ର ବିଧେୟକ କରିବା ତଥା ଶିଶୁମାନଙ୍କ ନିକଟତର ହେବା ପାଇଁ ଅରକ୍ଷୀ ଅଧିକ୍ଷକ ଶ୍ରୀ ପାଇକରାୟ ପୋଷ୍ଟର ଉନ୍ମୋଚନ କରି ଏକ ଅଭିନବ ଅଭିଯାନ “ୟ୍ଵି ଫୋର ଚିଲଡ୍ରେନ”ର ଘୋଷଣା କରିଥିଲେ।

ଏହି ଅଭିଯାନ ଅନ୍ତର୍ଗତ ଏଣିକି ପ୍ରତ୍ୟେକ ମାସର ଶେଷ ଶନିବାର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ନିକଟସ୍ଥ ପୁଲିସ ଥାନାକୁ ପରିଭ୍ରମଣରେ ଯିବେ ଓ ପୁଲିସ ଅଧିକାରୀ ସେମାନଙ୍କୁ ପୁଲିସ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବେ। ଏହା ଦ୍ଵାରା ପୁଲିସ ଓ ଶିଶୁମାନଙ୍କ ମଧ୍ୟରେ ମିତ୍ରତା ଗଢି ଉଠିବ ଓ ଶିଶୁମାନେ ନିର୍ଭୀକ ହୋଇ ନିଜ ଅଭିଯୋଗ ପୁଲିସକୁ ଜଣାଇପାରିବେ ବୋଲି ଅରକ୍ଷୀ ଅଧିକ୍ଷକ ଶ୍ରୀ ପାଇକରାୟ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ସମସ୍ତ ଥାନାର ଥାନା ଅଧିକାରୀ, ସିଡିପିଓଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଏହି ଜିଲ୍ଲା ସମ୍ମିଳନୀକୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ, ୟୁନିସେଫ୍‌ର ଜିଲ୍ଲା ପରାମର୍ଶଦାତା ପୀତବାସ ବେହେରା, ଶ୍ରୀଦତ୍ତ ସାହୁ ଓ ଉପେନ୍ଦ୍ର ଭଞ୍ଜ ପରିଚାଳନା କରିଥିଲେ।