ମା’ ଓ ୩ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ସାପ୍ତାହିକ ବଜାର ନିକଟରେ ଅବହେଳିତ ଅବସ୍ଥାରେ ରହୁଥିବା ମା’ ଓ ୩ ଶିଶୁଙ୍କୁ ଶନିବାର ଚାଇଲ୍ଡଲାଇନ ଉଦ୍ଧାର କରିଛି। ସୂଚନା ଅନୁସାରେ ଗତ କିଛିଦିନ ହେଲା ରିଆମାଳର ସ୍ୱାମୀ ପରିତ୍ୟକ୍ତା ମମତା ବେହେରା (୩୫) ଓ ୩ ଶିଶୁ ଯଥା:- ମିକି ବେହେରା(୮), ସୋନାଲି ବେହେରା(୪), ସାହିଲ ବେହେରା(୩) ସାପ୍ତାହିକ ବଜାର ନିକଟରେ ରହିଆସୁଥିଲେ। ଚାଇଲ୍ଡଲାଇନ ଖବରପାଇ ଆଜି ସେମାନଙ୍କ ନିକଟରେ ପହଞ୍ଚିଥିଲା।

ରିଆମାଳ ଚାଇଲ୍ଡଲାଇନ ସବସେଣ୍ଟର ସଦସ୍ୟ ରୋମାଞ୍ଚଳ ସାହୁ, ସରୋଜ କୁମାର ସାଗର ପ୍ରମୁଖ ପହଞ୍ଚି ଉଦ୍ଧାର କରିଥିଲେ। ସିଡବ୍ଲୁୁସି ନିକଟରେ ଉପସ୍ଥାପନ କରାଯାଇ ମମତାକୁ ଦେବଗଡ଼ ଶ୍ରଦ୍ଧା ୱାନଷ୍ଟେପ ସେଣ୍ଟର ଗୃହ ଓ ୩ ଛୁଆଙ୍କୁ ଶିଶୁ ସୁରକ୍ଷା ଗୃହରେ ରଖାଯାଇଛି। ଉଦ୍ଧାର ସମୟରେ ସ୍ଥାନୀୟ ଅଙ୍ଗନବାଡି ଦିଦି ମାମି ବେହେରା, ପିଏଲଭି ମନୋଜ ଦଣ୍ଡିଆ, ସମାଜସେବୀ ଅଶ୍ୱିନ ସାଗର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଗତ କିଛିଦିନ ହେଲା ସ୍ୱାମୀ ଅନିଲ କେଉଁଆଡେ ଚାଲିଯାଇଥିବାରୁ ଏପରି ଅବସ୍ଥା ହୋଇଥିବା ମମତା ପ୍ରକାଶ କରିଛନ୍ତି।