ମେଡିକାଲ୍ କଲେଜରୁ ଶିଶୁ ନିଖୋଜ ଘଟଣା: ୨ଶିଶୁ ସହ ୫ ଗିରଫ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରୁ ଶିଶୁ ନିଖୋଜ ଘଟଣାରେ କୋରାପୁଟ ଟାଉନ୍ ଥାନା ପୁଲିସ୍ ଅଭିଯୋଗକାରୀଙ୍କ ୨ଜଣ ଶିଶୁଙ୍କ ସହ ୫ଜଣକୁ ଗିରଫ କରିଛି। ନିଖୋଜ ଶିଶୁକୁ କୁନ୍ଦୁରା ଥାନା କୁପରା ଗ୍ରାମରୁ ଉଦ୍ଧାର କରିଥିବା କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଗିରଫ ୫ଜଣ ହସ୍ପିଟାଲରୁ ଶିଶୁକୁ ନେଇଥିବା ତେନ୍ତୁଲିଖୁଣ୍ଟି ଥାନା କଂଗ୍ରା ଗ୍ରାମର ଟୁନା ହରିଜନ, ଅଭିଯୋଗକାରୀ ନରସିଂହ ଗୌଡ଼ଙ୍କ ଶାଶୂ ଗଂଗେଇ ଗୌଡ଼, ବାସନ୍ତୀ ଗୌଡ଼, ବିସଂହପୁର ଅଞ୍ଚଳର ହେମନ୍ତ ମହୁରିଆ ଓ ରଞ୍ଜିତା ମହୁରିଆ ବୋଲି ଜଣାପଡ଼ିଛି।

ଥାନାଧିକାରୀ ଧୀରେନ୍ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କହିଛନ୍ତି ଯେ, ୯ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ସିଲଟାଗୁଡ଼ା ଗ୍ରାମର ନରସିଂହ ଗୌଡ଼ଙ୍କ ପତ୍ନୀ ତୁଲସିନା ଘରେ ଏକ ଶିଶୁ କନ୍ୟା ପ୍ରସବ କରିଥିଲେ। ପ୍ରସବ ପରେ ତୁଲସିନା ଗୁରୁତର ଅସୁସ୍ଥ ହେବାରୁ ପରିବାର ଲୋକେ ପ୍ରଥମେ ପାପଡ଼ାହାଣ୍ଡି ହସ୍ପିଟାଲ୍ ଓ ପରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ତେବେ କୋରାପୁଟରେ ଡାକ୍ତର ତୁଲସିନାକୁ ମୃତ ଘୋଷଣା କରିଥିଲେ। ମା’ ଛେଉଣ୍ଡ ନବଜାତକ ଶିଶୁକୁ ଲାଳନପାଳନ କରିବା କଷ୍ଟକର ବୋଲି କହି ଟୁନା ହରିଜନ ନବଜାତକ ଶିଶୁ କନ୍ୟାକୁ କୁନ୍ଦୁରା ଅଞ୍ଚଳର ଏକ ନିସନ୍ତାନ ଦମ୍ପତ୍ତିଙ୍କୁ ଦେଇ ଦେବାକୁ କହିଥିଲେ। ଟୁନା ହରିଜନର କଥାରେ ପଡ଼ି ନରସିଂହ ଗୌଡ଼ର ଶାଶୁ ଗଂଗେଇ ଓ ବାସନ୍ତୀ ନବଜାତକ ଶିଶୁ କନ୍ୟା ହସ୍ପିଟାଲରେ ରଖାଯାଇଥିବା କହି ନବଜାତକକୁ ବିସିଂହପୁରର ହେମନ୍ତ ମହୁରିଆ ଏବଂ ରଞ୍ଜିତା ମହୁରିଆକୁ ହସ୍ତାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ହେମନ୍ତ ଓ ରଞ୍ଜିତା ଶିଶୁ କନ୍ୟାକୁ କୁନ୍ଦୁରା ଥାନା କୁପରା ଗ୍ରାମର ଏକ ନିସନ୍ତାନ ଦମ୍ପତ୍ତିଙ୍କୁ ଦେଇଥିଲେ। ପତ୍ନୀଙ୍କ ଶେଷକୃତ୍ୟ ସାରି ନରସିଂହ ୧୧ ତାରିଖରେ କୋରାପୁଟ ଫେରି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ନିଜ ଶିଶୁ କନ୍ୟାକୁ ଖୋଜି ପାଇନଥିଲେ। ପରେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରଥିଲା। ଥାନାଧିକାରୀ ଧୀରେନ୍ ପଟ୍ଟନାୟକ,ସବଇନ୍ସପେକ୍ଟର ସୂଦର୍ଶନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ପ୍ରମୁଖ ହସ୍ପିଟାଲର ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରି ଖୋଳତାଡ଼ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ କୁନ୍ଦୁରାରୁ ନିଖୋଜ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁ କନ୍ୟାକୁ ପୁଲିସ୍ ଡିସିପିଓ ରାଜଶ୍ରୀ ଦାସଙ୍କୁ ହସ୍ତାନ୍ତର କରିବା ପରେ ସେ ଶିଶୁର ବାପା ନରସିଂହ ଗୌଡ଼ଙ୍କୁ ତାଙ୍କ ଝିଅକୁ ଫେରାଇ ଦେଇଥିବା ଏସଡିପିଓ ସୂଚନା ଦେଇଛନ୍ତି।