ମୃତ ମା’ ସଙ୍ଗେ ୩ ଦିନ ବିତାଇଲା ଶିଶୁ

ସଇଁନ୍ତଳା,ଏନ୍ଏନ୍ଏସ୍: ଆଜିକୁ ପ୍ରାୟ ୩ ଦିନ ତଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୩ ବର୍ଷର ଝିଅଟି ଜାଣିପାରି ନାହିଁ। ମା’ ଶୋଇଛି ଭାବି ସେ ବି ତା’ପାଖରେ ଶୋଇ ପଡ଼ୁଥିଲା। ଖାଇବାକୁ ବି ମାଗି ନଥିଲା। ପାଖ ପଡ଼ୋଶୀ ବି ଏ ବିଷୟରେ ଜାଣି ନ ଥିଲେ। ଆଜି ଯେତେବେଳେ କୁନି ଝିଅଟି ବାହାରକୁ ଆସି କହିଲା ମା’ ପାଟିରୁ ପୋକ ବାହାରୁଛନ୍ତି ସେତେବେଳେ ଘଟଣାଟି ଲୋକଲୋଚନକୁ ଆସିଥିଲା। ଏମିତି ଏକ ହୃଦୟବିଦାରକ ଦୃଶ୍ୟ ବଲାଙ୍ଗିରର ସାଗରପଡ଼ା ଶିବ ମନ୍ଦିର ନିକଟରେ ଦେଖିବାକୁ ମିଳିଛି । କୁନି ଝିଅଟି ମା’ ପାଟିରୁ ପୋକ ବାହରୁଥିବା କହିବା ପରେ ସେମାନଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି ଓ ଅନ୍ୟ କିଛି ପଡ଼ୋଶୀ ଦେଖିବାକୁ ଯାଇଥିଲେ। ଶବକୁ ଦେଖି ୩ ଦିନ ହେବ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଉକ୍ତ ମହିଳାଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ କହିବାନୁଯାୟୀ, ମା’ ଝିଅ ପ୍ରାୟ ଦେଢ଼ ବର୍ଷ ତଳେ ଏଠାକୁ ଆସିଥିଲେ। ଶ୍ୱଶୁର ଘର ଲୋକେ ତଡ଼ି ଦେଇଥିବାବେଳେ ବାପଘର ଲୋକେ ତାଙ୍କୁ ରଖିଲେନି ବୋଲି ସେ କହିଥିଲେ। ତାଙ୍କର ଘରଦ୍ୱାର କିଛି ନଥିଲା। ଏଠି ଖାଲି ସ୍ଥାନରେ ଘରଟେ ଥିଲା। ସେଠାରେ ରହି ନିଜେ ବଞ୍ଚିବା ସହିତ ତା’ ଛୁଆକୁ ମଣିଷ କରିବ ବୋଲି କହିଥିଲା। ତେଣୁ ତାକୁୁ ଏହି ସ୍ଥାନରେ ଆଶ୍ରୟ ଦେଇଥିଲି। ଆଖପାଖ ଘରେ କାମ କରି ଚଳୁଥିଲା। ମଝିରେ ମଝିରେ ତା’ ଦେହ ପ୍ରବଳ ଖରାପ ହେଉଥିଲା। ଏଣୁ ୩-୪ ଦିନରେ ଥରେ ସେ ବାହାରକୁ ଆସୁଥିଲା। ଗତକାଲି ମା’ଙ୍କ ଦେହ କେମିତି ଥିବା ନେଇ ସ୍ଥାନୀୟ ଲୋକେ ଝିଅକୁ ପଚାରିଥିଲେ। ସେ କହିଲା, ମା’ର ଦେହ ଖରାପ ଅଛି ଓ ସେ ଶୋଇଛି। ସ୍ଥାନୀୟ ଲୋକେ ମଧ୍ୟ ଦେଖିଲେ ଯେ ସେ ଶୋଇଛି। ମହିଳା ଜଣଙ୍କ ଏକା ଥିବାରୁ ଘର ଭିତରକୁ ଯାଇ ଦେଖିବା ଠିକ୍ ମନେ ହେଲାନି। ଯେତେବେଳେ ଆଜି ସକାଳେ ଝିଅଟି ଆସି ପଡ଼ୋଶୀଙ୍କୁ କହିଲା ଯେ ତା’ ମା’ ପାଟିରୁ ପୋକ ବାହାରୁଛି, ସେତେବେଳେ ସେଠାକୁ ଗଲୁ। ତୁରନ୍ତ ପୁଲିସକୁ ଖବର ଦେଇଥିଲୁ।

ଅନ୍ୟପଟେ ୩ ବର୍ଷର କୁନି ଝିଅଟି ବର୍ତ୍ତମାନ ସୁଦ୍ଧା ଜାଣିନି ଯେ ତା’ ମା’ ଆଉ କେବେ ନିଦରୁ ଉଠିବ ନାହିଁ। ପଡ଼ୋଶୀ ତାକୁ ରଖି ଖାଇବାକୁ ଦେଇଛନ୍ତି। ତେବେ ପିଲାଟିର ଆଉ କେହି ନଥିବା ଯୋଗୁ ପ୍ରଶାସନ ଦାୟିତ୍ୱ ଗ୍ରହଣ କରିବା ସହ ମହିଳାର ମୃତ୍ୟୁ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡ଼ିଛି।