ମେଧାବୀ ଛାତ୍ରଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍ ରଣା। ଘର ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ତହସିଲର ସିନ୍ଧେକେଲା ଅଞ୍ଚଳର ବଡ଼ପଡା ଗାଁରେ। ତାଙ୍କର ଇଞ୍ଜିନିୟରିଂ ପଢିବା ସ୍ୱପ୍ନ ଥିଲା, ହେଲେ ଅର୍ଥ ହୋଇଥିଲା ବାଧକ। ଆଡ୍‌ମିଶନ କରିପାରି ନଥିଲେ। ଏହି କଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି।

ତାରାଚାନ୍‌ଙ୍କ ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା। ତଥାପି ନିଜର ସ୍ୱପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ। ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା ନିଟ୍ ଜେଇଇ ମେନ୍‌ରେ ୯୯.୩୫ ପ୍ରତିଶତ ମାର୍କ ରଖି ନିଟ୍ ୱରଙ୍ଗଲରେ ପଢ଼ିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି। ହେଲେ ତାଙ୍କର ଆଡ୍‌ମିଶନ ପାଇଁ ଆବଶ୍ୟକ ଅର୍ଥ ନଥିଲା। କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ଆଡ୍‌ମିଶନ ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି। ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡ୍‌ମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଥିଲେ। ଏହାଦ୍ୱାରା ତାଙ୍କର ଆଡ୍‌ମିଶନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ। ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ୟଈ ପଟ୍ଟନାୟକ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।