ପାଟଣାଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶଦାତା ଅସିତ ତ୍ରିପାଠୀ ପାଟଣାଗଡ଼ ଗସ୍ତ କରିଛନ୍ତି । ଏହି ସମୟରେ ବେଲପଡ଼ା ବ୍ଲକସ୍ଥିତ ଭୁଲିଆବନ୍ଦରେ ଥିବା ମେହେର ବ୍ରଦର୍ସଙ୍କ ସାରସ କୁକୁଡ଼ା ଫାର୍ମକୁ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଏହି କୁକୁଡ଼ା ଫାର୍ମଟି ଉନ୍ନତମାନର ଜ୍ଞାନ କୌଶଳରେ ଆରମ୍ଭ କରି ବର୍ତ୍ତମାନ ସାରା ରାଜ୍ୟରେ ଏକ ନମ୍ବରରେ ପରିଣତ ହୋଇଥିବାବେଳେ ଏହି ଫାର୍ମରୁ ହେଚେରିଫାର୍ମରୁ କୃତ୍ରିମ ଅର୍ଗାନିଜ ପ୍ରଜନନ ମାଧ୍ୟମରେ ଅଣ୍ଡାରୁ ଛୁଆ ପ୍ରସ୍ତୁତ କରି ସାରା ଦେଶକୁ ଯୋଗାଇ ଦିଆଯାଉଛିି । ଏହି ଅଣ୍ଡା ଦିଆ କୁକୁଡ଼ା ୩୦ ଏକର ସ୍ଥାନରେ ୮ଟି ସେଡ଼ ନିର୍ମାଣ କରି ୬୫ ହଜାର କୁକୁଡ଼ା ରଖିଥିବାବେଳେ ୧୦ ହଜାର ଅଣ୍ଡିରା କୁକୁଡ଼ାରୁ ସିମେନ୍ସ ବାହାର କରି ମାଈ କୁକୁଡ଼ାକୁ ଇଞ୍ଜେକ୍ସନ ଦେଇ ଅଣ୍ଡା ବାହାର କରି ନିଜେ ଏହାକୁ ଇନକ୍ୟୁବେଟରରେ ପକାଇ ଅନ୍ୟ ସ୍ଥାନରେ ଛୁଆ ପ୍ରସ୍ତୁତ କରି ପାରୁଛନ୍ତି । ଏହି ସମୟରେ ଶ୍ରୀ ତ୍ରିପାଠୀଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ଓ ପ୍ରାଣୀଧନ ଚିକିତ୍ସାଧିକାରୀମାନେ କୁକୁଡ଼ା ଫାର୍ମ ବୁଲି ଦେଖିଥିଲେ । ଏହି କୁକୁଡ଼ା ଫାର୍ମରୁ ପ୍ରତିଦିନ ହଜାର ହଜାର ଅଣ୍ଡା ବାହାର କରି ପ୍ରତ୍ୟେକ ଅଞ୍ଚଳକୁ ପଠାଯାଉ ଥିବାବେଳେ ପଶ୍ଚିମ ଓଡ଼ିଶାବାସୀଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ମେହେର ବ୍ରଦର୍ସଙ୍କ ୩ଟିି ଫାର୍ମରେ ୫୦୦ରୁ ଉର୍ର୍ଦ୍ଧ୍ୱ ଲୋକ ରୋଜଗାର କରୁଛନ୍ତି । ଏସବୁ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ମେହେର ବ୍ରଦର୍ସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।