ପରଲୋକରେ ପ୍ରଥମ ଭୋଟର: ଶେଷକୃତ୍ୟରେ ସାମିଲ ହେବେ ମୁଖ୍ୟ ନିର୍ବାଚନ କମିଶନର

ଶିମଲା,ଏଜେନ୍ସି: ଦେଶର ପ୍ରଥମ ଭୋଟର ଶ୍ୟାମ ଶରଣ ନେଗିଙ୍କ ଦେହାନ୍ତ ହୋଇଛି । ତାଙ୍କ ପୈତୃକ ଗ୍ରାମ ହିମାଚଳ ପ୍ରଦେଶର କଳ୍ପା ଅନ୍ତର୍ଗତ କିନ୍ନୌର ଗସ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ରାଜୀବ କୁମାର ନେଗିଙ୍କୁ ଶେଷ ସମ୍ମାନ ଜଣାଇବେ । ସେହିପରି ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ନେଗିଙ୍କ ଶେଷକୃତ୍ୟରେ ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।

ଆଜି ପ୍ରାୟ ଭୋର ୩ଟା ସମୟରେ ନେଗି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ହୋଇଥିଲା । ଗତ ୨ ଦିନ ତଳେ ସେ ଶେଷ ଥର ପାଇଁ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଗୁଆ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଯାହା ନେଗିଙ୍କ ଶେଷ ତଥା ୩୪ ତମ ମତଦାନ ଥିଲା ।

ହିମାଚଳ ପ୍ରଦେଶରେ ଚଳିତ ବିଧାନସଭା ନିର୍ବଚନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବାକୁ ଯାଉଛି । ଏଥିପାଇଁ ନେଗି ଗତ ୨ ଦିନ ତଳେ ଭୋଟ ମଧ୍ୟ ଦେଇ ସାରିଛନ୍ତି । ତେବେ ଶତାଧିକ ବୟସ ଓ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଦେଶର ଏହି ପ୍ରଥମ ଭୋଟରଙ୍କୁ ପୋଲିଂ ବୁଥ ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ସ୍ଥାନୀୟ ପ୍ରଶାସନ । ପୋଷ୍ଟାଲ ବାଲାଟ ପ୍ରକ୍ରିୟାରେ ନେଗି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ମତାଦାନ ପ୍ରକ୍ରିୟା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ମତାଧିକାର ସାବ୍ୟସ୍ତ ପରେ ସ୍ଥାନୀୟ ଜିଲ୍ଲାଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନେଗିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।