ସ୍ଥାନୀୟ ନିଯୁକ୍ତି ଦାବିରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛୁଆଲିବେର୍ଣ୍ଣାବାସୀ

ଝାରସୁଗଡ଼ା,ଏନ୍ଏନ୍ଏସ୍: ସ୍ଥାନୀୟ ନିଯୁକ୍ତି ଦାବିରେ ଆଜି ଛୁଆଲିବେର୍ଣ୍ଣା ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଲଜକୁରା ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ପାଇଁ ଛୁଆଲିବେର୍ଣ୍ଣା ଗ୍ରାମର ୫ଶହରୁ ଅଧିକ ଜଙ୍ଗଲ ଜମି ଅଧିକୃତ ହୋଇଛି ବୋଲି କହିଛନ୍ତି । ଏହାସହ ଗ୍ରାମର ଜମିରେ ଏମସିଏଲର ତତ୍ତ୍ୱାବଧାନରେ ନୀଳକଣ୍ଠ ମାଇନିଙ୍ଗ ନାମକ ଠିକା କମ୍ପାନୀ ମାଟି ପକା ଏବଂ ମାଟି କଟା କାମ ଆରମ୍ଭ କରିଛି। ଏହି କୋଇଲା ଖଣି ସମ୍ପ୍ରସାରଣ ପାଇଁ ଗ୍ରାମବାସୀ ଜଙ୍ଗଲ ଜମି, ରଏତି ଜମି ହରାଇବା ସହ ଧୂଲି ଧୂଆଁ ଖାଉଛନ୍ତି। ଏହି ଜଙ୍ଗଲ ଜମି ଅଧିଗ୍ରହଣ ହେବାରୁ ଗ୍ରାମର ଭୂମିହୀନ ଗରିବ ସୀମାରେଖା ତଳେ ବସବାସ କରୁଥିବା ଲୋକେ ପତ୍ର, ଫୁଲ, ଫଳ, କନ୍ଦମୂଳ, ଶୁଖିଲା କାଠ ଆଦି ସଂଗ୍ରହ କରି ପାରୁନାହାନ୍ତି। ତେଣୁ ତାଙ୍କ ରୋଜଗାରର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ସାରିଥିବାବେଳେ ପରିବାର ପ୍ରତିପୋଷଣରେ ବୁହୁ ସମସ୍ୟା ଉପୁଜୁଛି।

ଏହି କୋଇଲା ଖନନ ପାଇଁ ଛୁଆଲିବେର୍ଣ୍ଣା ଗ୍ରାମବାସୀ ପ୍ରତ୍ୟେକ୍ଷ ଭାବରେ କ୍ଷତିଗ୍ରସ୍ତ ଓ ପ୍ରଭାବିତ ହୋଇ ନିଜର ରୋଜଗାରର ସମସ୍ତ ମାଧ୍ୟମ ହରାଇଥିଲେ ସୁଦ୍ଧା ଏମସିଏଲ କିମ୍ବା ଏମସିଏଲ ଅଧୀନସ୍ଥ ଠିକା କମ୍ପାନୀ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରୁନାହିଁ। ଗ୍ରାମବାସୀମାନେ ନିଯୁକ୍ତି ପାଇଁ ବାରମ୍ବାର ଦାବି କରିବାରୁ ଗତ ଅକ୍ଟୋବର ୩୦ରେ ଗ୍ରାମର ୨୦ ଜଣ ପିଲାଙ୍କୁ ନୀଳକଣ୍ଠ ଠିକା କମ୍ପାନୀ ନିଯୁକ୍ତି ଦେଇ ଦିନକ ପରେ ଚାକିରିରୁ ବାହାର କରି ଦେଇଥିଲା। ପରେ ଗ୍ରାମବାସୀମାନେ ଆନ୍ଦୋଳନ କରିବାରୁ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ôଚ ପ୍ରଥମ ପର୍ଯ୍ୟାୟରେ ୩୦ ଜଣ ପିଲାଙ୍କୁ ନିଯୁକ୍ତି ଦେଇ ପର୍ଯ୍ୟାୟକ୍ରମେ ସ୍ଥାନୀୟ ନିଯୁକ୍ତି ପ୍ରଦାନ କରିବା ପାଇଁ ଲଜକୁରା ଖଣି ତଥା ନୀଳକଣ୍ଠ କମ୍ପାନୀର କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ମଧ୍ୟ ଗତ ୫ ତାରିଖ ଯାଏଁ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନମିଳିବାରୁ ସେମାନେ ଗତ ୬ ତାରିଖରେ ନୀଳକଣ୍ଠ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଧାରଣା ୮ ଦିନ ଚାଲିବା ପରେ ପୁଣି ଉପଜିଲ୍ଲାପାଳ,ଏମସିଏଲ ମହାପ୍ରବନ୍ଧକ, ଏମସିଏଲ ପ୍ରକଳ୍ପ ଅଧିକାରୀ, ନୀଳକଣ୍ଠ କମ୍ପାନୀ କର୍ତୃପକ୍ଷ ଓ ପୁଲିସ ଦଳ ପହଞ୍ଚି ସ୍ଥାନୀୟ ନିଯୁକ୍ତି ପରେ କୋଇଲା ଖନନ ପାଇଁ କାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରଶାସନର ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରି ସ୍ଥାନୀୟ ନିଯୁକ୍ତି ପ୍ରଦାନ ନକରି ନୀଳକଣ୍ଠ କମ୍ପାନୀ ପୁଣି କୋଇଲା ଖନନ କାର୍ଯ୍ୟ ଆରମ୍ଭ କରିଛି। ଏଣୁ ପ୍ରଶାସନ ନୀଳକଣ୍ଠ କମ୍ପାନୀର ଏହି କାର୍ଯ୍ୟକୁ ବନ୍ଦ କରି ପ୍ରଥମେ ସ୍ଥାନୀୟ ନିଯୁକ୍ତି ପରେ କୋଇଲା ଖନନ କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ଗ୍ରହଣ କରୁ। ନଚେତ ଗ୍ରାମବାସୀମାନେ ପୁଣି ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି।