ଚେନ୍ନାଇ ସୁପର କିଙ୍ଗ୍‌ସର ବଡ଼ ବିଜୟ, ଦିଲ୍ଲୀ କ୍ୟାପିଟାଲ୍ସ ୯୧ ରନ୍‌ରେ ପରାସ୍ତ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୫ ତମ ମ୍ୟାଚ୍‌କୁ ଚେନ୍ନାଇ ସୁପର କିଙ୍ଗ୍‌ସ ଜିତିଛି। ସ୍ଥାନୀୟ ଡ. ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୬ ୱକେଟ୍ ବିନିମୟରେ ୨୦୮ ରନ୍ ସଂଗ୍ରହ କରିଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୭.୪ ଓଭରରେ ଅଲ୍‌ଆଉଟ୍ କରିଥିଲା। ଦିଲ୍ଲୀ ୧୧୭ ରନ୍ କରିବା ସହ ଏହି ମ୍ୟାଚ୍‌କୁ ୯୧ ରନ୍‌ରେ ହାରିଥିଲା।

ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ। ଦଳ ପ୍ରଥମେ ଭଲ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାଏକ୍ୱାଡ ଓ ଡାୱେନ୍ କନୱେ ପ୍ରଥମ ୱିକେଟ୍ ପାଇଁ ୧୧୦ ରନ୍ କରିଥିଲେ। ଋତୁରାଜ ୩୩ଟି ବଲ୍ ସାମ୍ନା କରି ୪୧ ରନ୍ କରିଥିଲେ। ଏଥିରେ ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। କନ୍‌ୱେ ୪୯ଟି ବଲ୍ ଖେଳି ୮୭ ରନ୍ ଯୋଡ଼ିଥିଲେ। ଏଥିରେ ୭ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଶିଭମ ଦୁବେ ୩୨ ରନ୍ ଓ ମହେନ୍ଦ୍ର ସିଂହ ଧୋନୀ ଅପରାଜିତ ୨୧ ରନ୍ କରିଥିଲେ। ଚେନ୍ନାଇର ବୋଲରମାନେ ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ମୋଇନ ଅଲୀ ୩ ୱିକେଟ ନେଇଥିଲେ। ମୁକେଶ ଚୌଧୁରୀ, ସିମରଜିତ ସିଂହ ଓ ଡ୍ୱେନ୍ ବ୍ରାଭୋ ୨-୨ ୱିକେଟ ନେଇଥିଲେ। ମହୀଶ ତିକିଷ୍ଣାଙ୍କୁ ଗୋଟିଏ ୱିକେଟ ମିଳିଥିଲା।

ଦିଲ୍ଲୀ ପାଇଁ ମିଚେଲ ମାର୍ସ ସର୍ବାଧିକ ୨୫ ରନ୍ କରିଥିଲେ। ସେହିପରି ଶାର୍ଦ୍ଦୁଲ ଠାକରୁ ୨୪ ରନ୍‌, ଅଧିନାୟକ ଋଷଭ ପନ୍ତ ୨୧ ରନ୍ ଓ ଡେଭିଡ ୱାର୍ଣ୍ଣର ୧୯ ରନ୍ କରିଥିଲେ।