ଶସ୍ତା ହେଲା ଏଲପିଜି ସିଲିଣ୍ଡର: ୧୦୦ ଟଙ୍କା କମିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ,ଏଜେନ୍ସି: ମହଙ୍ଗା ମାଡରୁ ସାମାନ୍ୟ ଆଶ୍ବସ୍ତି । ମାସ ଆରମ୍ଭରୁ ଶସ୍ତା ହେଲା ଏଲପିଜି ସିଲିଣ୍ଡର । ଆଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ କମିଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ ପାଖାପାଖି ୧୦୦ ଟଙ୍କା ହ୍ରାସ ପାଇଛି । ହେଲେ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ଆଜି(ଗୁରୁବାର) ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ ୯୧.୫୦ ଟଙ୍କା ହ୍ରାସ ପାଇଛି । ସେହିପରି କୋଲକାତାରେ ଏହି ସିଲିଣ୍ଡର ଦର ୧୦୦ ଟଙ୍କା, ବାଣିଜ୍ୟ ନଗରୀ ମୁମ୍ବାଇରେ ୯୨.୫୦ ଟଙ୍କା, ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ସହିତ ଆଜିଠୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ଦାମ୍ ୧୯୭୬.୫୦ ଟଙ୍କାରେ ପହଞ୍ଚିଛି । ଏହି କ୍ରମରେ କୋଲକାତାରେ ଦାମ୍ ୧୯୯୫.୫ ଟଙ୍କାକୁ ହ୍ରାସ ପାଇଛି । ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କାରେ ବିକ୍ରି ହେଉଛି ।

ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି । ରେସ୍ତୋରାଁ, ଚା’ ଷ୍ଟଲ ଏବଂ ଅନ୍ୟ ଭୋଜନାଳୟ ଗୁଡିକ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭୋକ୍ତା ଅଟନ୍ତି । ଗ୍ୟାସ ଦାମ୍ ବଢିଲେ ସେମାନେ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି ।

ଅନ୍ୟପଟେ ଘରୋଇ ସିଲିଣ୍ଡର ଦାମରେ କୌଣସି ସଂଶୋଧନ ହୋଇନାହିଁ । ଜୁଲାଇ ୬ ତାରିଖରୁ ଏହାର ଦାମ୍ ସ୍ଥିର ରହିଛି । ଘରୋଇ ଇଣ୍ଡିଆନ ସିଲିଣ୍ଡର ଦାମ ଦିଲ୍ଲୀରେ ୧,୦୫୩ ଟଙ୍କା ଥିବାବେଳେ କୋଲକାତାରେ ୧,୦୭୯ ଟଙ୍କା, ମୁମ୍ବାଇରେ ୧,୦୫୨ ଟଙ୍କା, ଚେନ୍ନାଇରେ ୧,୦୬୮ ଟଙ୍କା ରହିଛି ।