ଆଜିଠୁ ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ଦୁଇ ଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ କେରଳ ଯିବେ ଓ ଆସନ୍ତାକାଲି କର୍ଣ୍ଣାଟକ ଗସ୍ତ କରିବେ । ଆଜି ସନ୍ଧ୍ୟା ସମୟରେ ମୋଦି କେରଳ କୋଚିନ ବିମାନ ବନ୍ଦର ନିକଟରେ ଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମଭୂମି କଲାଡି ଗ୍ରାମ ପରିଦର୍ଶନ କରିବେ । ଏହାପରେ ସନ୍ଧ୍ୟା ୬ଟା ସମୟରେ କୋଚି ମେଟ୍ରୋ ଏବଂ ଭାରତୀୟ ରେଲୱେର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାସହିତ କେରଳର ତିନୋଟି ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଷ୍ଟେସନଗୁଡିକ ହେଲେ ଏର୍ନାକୁଲମ ଜଙ୍କସନ, ଏର୍ନାକୁଲମ ଟାଉନ ଏବଂ କୋଲ୍ଲାମ ।

ସେପ୍ଟେମ୍ବର ୨ ତାରିଖ ବା ଆସନ୍ତାକାଲି(ଶୁକ୍ରବାର) ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଯିବେ । ସେଠାରେ ଦିନ ସାଢେ ୯ଟା ସମୟରେ ଭାରତର ପ୍ରଥମ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଜାହାଜ ଆଇଏନଏସ ବିକ୍ରାନ୍ତଙ୍କୁ ଭାରତୀୟ ସେନାରେ ସାମିଲ କରିବେ । ଭାରତୀୟ ନୌସେନାର ନିଜସ୍ବ ଯୁଦ୍ଧପୋତ ବ୍ୟୁରୋ ଦ୍ବାରା ଆଇଏନଏସ ବିକ୍ରାନ୍ତ ଡିଜାଇନ ହୋଇଥିବା ବେଳେ କୋଚିନ ସିପୟାର୍ଡ ଲିମିଟେଡ ଦ୍ବାରା ଏହା ନିର୍ମିତ ହୋଇଛନ୍ତି ।

ଏହିଦିନ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ମାଙ୍ଗାଲୁରୁ ଠାରେ ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବର୍ଥ ନଂ ୧୪ର ଯାନ୍ତ୍ରିକରଣ ବ୍ୟବସ୍ଥାର ଉଦଘାଟନ କରିବେ । ମୋଦି ମାଙ୍ଗାଲୁରୁ ବନ୍ଦରର ପ୍ରାୟ ଏକ ହଜାର କୋଟି ଟଙ୍କାର ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ମେଙ୍ଗାଲୁରୁରେ ତୈଳ ବିଶୋଧନାଗାର ଏବଂ ପେଟ୍ରୋକେମିକାଲ ଲିମିଟେଡର ଦୁଇ ପ୍ରକଳ୍ପର ଉଦଘାଟନ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ କୁଲାଇ ଠାରେ ମାଛଧରା ବନ୍ଦରର ଶିଳାନ୍ୟାସ କରିବେ ।