ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ୪ ତାରିଖରେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମାନିତ ହୋଇ ୬ ତାରିଖରେ ଓଡ଼ିଶା ଫେରିବେ ବିଜେଡି ସୁପ୍ରିମୋ । ତେବେ ଦିଲ୍ଲୀ ଦରବାର ଓ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ଆଳରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ଏକାଧିକ ହେବିୱେଟ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ସେପ୍ଟେମ୍ବର ୫ ଓ ୬ ତାରିଖରେ ସେ ରାଜ୍ୟରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ସେପ୍ଟେମ୍ବର ମାସରୁ ରାଜ୍ୟ ବିଜେପି ଆକ୍ଟିଭ ମୁଡକୁ ଆସିବ ବୋଲି ଦଳର ବରିଷ୍ଠ ନେତା ଖୋଲାଖୋଲି ଘୋଷଣା କରିଛନ୍ତି । ରାଜ୍ୟ ବିଜେପିକୁ ମାନସିକ ଭାବେ ଚାପରେ ରଖିବା ଲାଗି ଠିକ ଏହି ସମୟରେ ବିଜେଡି ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି । ପଲିଟିକାଲ କ୍ୟାପିଟାଲ ଦିଲ୍ଲୀ ଓ ଭୁବନେଶ୍ବରରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିବ । ଦିଲ୍ଲୀରେ ପ୍ରାୟ ୫ ହଜାର ଲୋକଙ୍କୁ ନେଇ ନବୀନଙ୍କୁ ସମ୍ବର୍ଦ୍ଧିତ ଆଳରେ କେନ୍ଦ୍ରୀୟ ବିଜେପିକୁ କଡା ବାର୍ତ୍ତା ଦେବାକୁ ପ୍ରୟାସ କରିବ ବିଜେଡି । ଏହା ସହ ଭୁବନେଶ୍ବରରେ ନବୀନଙ୍କୁ ସ୍ବାଗତ କରିବା ଆଳରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରା କରିବାକୁ ଯୋଜନା କରିଛି ।