୩ ରାଜ୍ୟର ବ୍ୟାରିକେଟିଂ ଭାଙ୍ଗି ଖସିବାକୁ ଚେଷ୍ଟା କରୁଥିବା ଗାଡ଼ି ସହ ଚାଳକଙ୍କୁ ଧରିଲା ଛତିଶଗଡ଼ ପୁଲିସ

ମାଲକାନଗିରି,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁ ସମସ୍ତ ରାଜ୍ୟରେ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯାଇଥିବାବେଳେ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ ପୁଲିସକୁ ଚକମା ଦେଇ ଖସି ପଳାଇବାକୁ ଉଦ୍ୟମ କରୁଥିବା ଗାଡ଼ି ସହ ଯୁବକକୁ ଛତିଶଗଡ଼ ପୁଲିସ କାବୁ କରିଛି। ଏକ ଧଳା ରଙ୍ଗର ସ୍କୋର୍ପିଓ ଗାଡ଼ି ପୋଡ଼ଶୀ ଆନ୍ଧ୍ରପ୍ରଦେଶର ଚିନ୍ତୁରଠାରେ ଏକ ପୁଲିସ କର୍ମଚାରୀଙ୍କୁ ଧକ୍କା ଦେଇ ଓଡ଼ିଶା ଓ ଛତିଶଗଡ଼ ଦେଇ ନିଜ ରାଜ୍ୟକୁ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଛତିଶଗଡ଼ ପୁଲିସ ହାତରେ ଧରାପଡ଼ିଛି। ସୀମାନ୍ତ ଯାଞ୍ଚ ପଏଣ୍ଟରେ ବ୍ୟାରିକେଟିଂ ଭାଙ୍ଗି ଦ୍ରୁତ ଗତିରେ ପଳାଉ ଥିବାବେଳେ ଛତିଶଗଡ଼ର କୋଣ୍ଟାଠାରେ ସିଆରପିଏଫ ଯବାନମାନେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ଏହି ସମୟରେ ଗାଡ଼ି ଚାଳକ ଯବାନଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ସେମାନେ ଗୁଳି ଚଳାଇଥିଲେ। ଗୁଳିରେ ଆହତ ହୋଇ ଚାଳକ ଭାରସାମ୍ୟ ହରାଇବା ଫଳରେ ଗାଡ଼ିଟି ରାସ୍ତାକଡ଼କୁ ଖସି ପଡ଼ିଥିଲା। ପରେ ଯବାନମାନେ ଆହତ ଯୁବକଙ୍କୁ ଉଦ୍ଧାର କରି ଜଗଦଲପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଗାଡ଼ିଟି ମହାରାଷ୍ଟ୍ରର ହୋଇଥିବାବେଳେ ଚାଳକ ଜଣକ ଅମରାବତୀ ଜିଲ୍ଲାର ସୁଲତାନପୁର ଅଞ୍ଚଳର ହନୁମନ୍ତ ମୋହିତ ବୋଲି ଜଣାପଡ଼ିଛି।