ସମବାୟ ନିବନ୍ଧଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

ଦେବଗଡ଼, ଏନ୍ଏନ୍ଏସ୍ : ଗତ ଖରିଫ ଋୁତୁରେ ପ୍ରଶାସନ ପକ୍ଷରୁ ଚାଷୀଙ୍କଠାରୁ କିଣା ଯାଇଥିବା ଧାନର ପ୍ରାପ୍ୟ ପ୍ରଦାନ କରାଯାଇ ନଥିବା ବେଳେ ଆଜିଠାରୁ ଚଳିତ ଖରିଫର ଧାନ କିଣା ଆରମ୍ଭ କରାଯାଇଛି। ଏହାକୁ ବିରୋଧ କରି ବାରକୋଟ ବ୍ଲକ କଣ୍ଟାପାଲି ଓ ଦନ୍ତାରୀବାହାଲର ପ୍ରାପ୍ୟ ପାଇବାରୁ ବଞ୍ଚିତ ଚାଷୀମାନେ ଆଜି ସମବାୟ ନିବଦ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କଣ୍ଟାପାଲି ଓ ଦନ୍ତାରୀବାହାଲ ପଞ୍ଚାୟତରେ ସେବା ସମବାୟ ସମିତି ମାଧ୍ୟମରେ ଗତ ଖରିଫରେ ଧାନ ଖର୍ଦ୍ଦି କରାଯାଇଥିଲା। ମାତ୍ର ଦୀର୍ଘ ମାସ ପର୍ଯ୍ୟନ୍ତ ଉପରୋକ୍ତ ସେବା ସମବାୟ ସମିତିର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇନାହିଁ। ତେବେ ଆଜି ଚଳିତ ଖରିଫର ପ୍ରଥମ ଧାନ କିଣା ପାଇଁ ବାରକୋଟ ବ୍ଲକ କାଦୋପଡା ଠାରେ ମଣ୍ଡିର ଶୁଭାରମ୍ଭ କରାଯାଉଥିବା ସୂଚନା ପାଇ ଉପରୋକ୍ତ ଚାଷୀମାନେ ବିରୋଧ କରିଥିଲେ। ଜିଲ୍ଲା କୃଷକ ସଂଘର୍ଷ ସଂଘ ସଭାପତି ସେମ ହେମ୍ବ୍ରମଙ୍କ ନେତୃତ୍ୱରେ ପୂର୍ବାହ୍ନରେ ଶତାଧିକ ଚାଷୀ ସମବାୟ ନିବଦ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ। ଅପରାହ୍ନରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ , ଜିଲ୍ଲା ନିବନ୍ଧକ ନିମାଇ ଚରଣ ନାୟକ, ଜିଲ୍ଲା କୃଷକ ସଂଘର୍ଷ ସଂଘ ସଭାପତି ସେମ ହେମ୍ବ୍ରମଙ୍କ ସମେତ ବହୁ ଚାଷୀ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।