ସ୍କୁଲରେ କଡ଼ାକଡ଼ି ହେବ ଏକାଡେମିକ୍ କ୍ୟାଲେଣ୍ଡର

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୂର୍ବରୁ ଜୁନିୟର ଏବଂ ଡିଗ୍ରୀ କଲେଜଗୁଡିକରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶିକ୍ଷାଦାନ ଶେଷ କରିବା ସହ କିପରି ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶ କରାଯିବ ସେ ନେଇ ଗତ ୫ବର୍ଷ ହେବ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରଚଳନ କରାଯାଇଥିଲା। ସେହି ଢ଼ାଞ୍ଚାରେ ରାଜ୍ୟରେ ଖୁବଶୀଘ୍ର ସ୍କୁଲସ୍ତରରେ ମଧ୍ୟ ପ୍ରଚଳନ ହେବ ଏକାଡେମିକ କ୍ୟାଲେଣ୍ଡର। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରକଳ୍ପ ଭାବେ ତୃତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀ ପାଇଁ ଲାଗୁ ହେବ ଏକାଡେମିକ୍ କ୍ୟାଲେଣ୍ଡର। ଯଦି ଏହି ଯୋଜନା ସଫଳ ହୁଏ ତେବେ ୨୦୨୧ରୁ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରାଯିବ। ସ୍କୁଲ ଓ ଗଣଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେବା ପରେ ଉଭୟ ପ୍ରାଥମିକ ,ଉଚ୍ଚପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷାରେ ଅନେକ ପରିବର୍ତ୍ତନ ହୋଇଛି।

ବିଶେଷକରି ରାଜ୍ୟରେ ପ୍ରାୟ ୭୪ପ୍ରତିଶତ ସ୍କୁଲରେ ନିର୍ଦ୍ଧାରିତ ସମୟରେ ପାଠପଢ଼ା ଶେଷ ହେଉନଥିବା ବେଳେ ନିର୍ଦ୍ଦିଷ୍ଟ ସମୟରେ ବାର୍ଷିକ କ୍ରୀଡା, ବାର୍ଷିକ ଉତ୍ସବ ତଥା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉନାହିଁ। ସ୍କୁଲ ସ୍ତରରେ ପିଲାଙ୍କୁ ଶିକ୍ଷାଦାନ ସମେତ ପିଲାଙ୍କ ମଧ୍ୟରେ ବହିର୍ଜ୍ଞାନର ବିକାଶ ଏବଂ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରିବା ଲାଗି କ୍ରୀଡ଼ା, ନୃତ୍ୟ, ସଙ୍ଗୀତ ଆଦି କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ରହିଛି। ତେବେ କ୍ଲାସରେ ପାଠପଢ଼ା ଏବଂ ପରୀକ୍ଷା ପରିଚାଳନାକୁ ବାଦ୍ଦେଲେ ଅନ୍ୟ କିଛି ବାଧ୍ୟତାମୂଳକ ନଥିବାରୁ ଅନେକ ସ୍କୁଲରେ କୌଣସି କାର୍ଯ୍ୟକ୍ରମର ଆୟୋଜନ ହେଉନାହିଁ। ଫଳରେ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ବିକଶିତ ହୋଇପାରୁନଥିବା ବେଳେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ମଧ୍ୟ ରହୁନାହିଁ। ଏପରି ସମସ୍ୟାକୁ ନଜର ଦେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ଅଭିନବ ପ୍ରୟାସ ଆରମ୍ଭ ହୋଇଛି।

ଏହି ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଜୁଲାଇରୁ ପାଠପଢ଼ା ଆରମ୍ଭ ହେବ। କ୍ଲାସ ଆରମ୍ଭ ହେବାର ୩ମାସ ପରେ କ୍ଲାସ୍ ଟେଷ୍ଟ୍ କରାଯିବ। ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଷାଡ଼ମାସିକ ପରୀକ୍ଷା, ଫେବୃଆରିରେ ୨ୟ ପର୍ଯ୍ୟାୟ କ୍ଲାସ ଟେଷ୍ଟ ଏବଂ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଫେବୃଆରୀ ଶେଷ ସୁଦ୍ଧା କୋର୍ସ ଶେଷ ହେବ। ମାର୍ଚ୍ଚରେ ରିଭିଜନ କରାଯିବ। ସେହିପରି ବାର୍ଷିକ ପରୀକ୍ଷା ଶେଷ ହେବାପରେ ଏପ୍ରିଲ ଶେଷ ସପ୍ତାହ ପର୍ଯ୍ୟନ୍ତ ପାଠପଢ଼ା ହେବ। ଯଦି ଖରା ଅଧିକ ରହେ ତେବେ ଆବଶ୍ୟକ ସ୍ଥଳେ ଏପ୍ରିଲ ପ୍ରଥମ ସପ୍ତାହରୁ ଖରାଛୁଟି କରାଯିବ। ଏପ୍ରିଲ ୧୫ସୁଦ୍ଧା ମାଗଣା ପାଠ୍ୟପୁସ୍ତକ ବଣ୍ଟାଯିବ। ଯଦି ଆଉ କିଛି ପୁସ୍ତକ ପ୍ରକାଶରେ ବିଳମ୍ବ ଘଟେ ତେବେ ସମ୍ପୃକ୍ତ ପୁସ୍ତକ ଜୁନ୍ ଶେଷ ସୁଦ୍ଧା ବାଣ୍ଟିବାକୁ ଏକାଡେମିକ କ୍ୟାଲେଣ୍ଡରରେ ବାଧ୍ୟତାମୂଳକ କରାଯିବ। ସେହିପରି ପ୍ରତିବର୍ଷ ଜାନୁଆରୀରେ ବାର୍ଷିକ କ୍ରୀଡା ଏବଂ ବାର୍ଷିକ ଉତ୍ସବ ବାଧ୍ୟତାମୂଳକ ରହିବ। ବାର୍ଷିକ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ୧୫ତାରିଖ ମଧ୍ୟରେ ଫଳ ପ୍ରକାଶ କରାଯିବ। ପ୍ରତିବର୍ଷ ସବୁ ପିଲାଙ୍କର୨ଟି କ୍ଲାସ ଟେଷ୍ଟର ରିପୋର୍ଟ ଏବଂ ବାର୍ଷିକ ରେଜଲ୍ଟ ରିପୋର୍ଟ ମେ’ ଶେଷ ସୁଦ୍ଧା ବିଭାଗ ପକ୍ଷରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।