ଧାନ ବିକ୍ରୀ ସମସ୍ୟା : ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଯୋଗାଣ ବିଭାଗ ପକ୍ଷରୁ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଉ ନ ଥିବାରୁ ଚାଷୀମାନେ ଧାନ ବିକ୍ରି କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀମାନେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁଛନ୍ତି। ଏହି କ୍ରମରେ ଆଜି ଦଣ୍ଡାସିଂହା ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀ ସମସ୍ୟାର ସମାଧାନ ଦାବିରେ ସରପଞ୍ଚ ଅମିତ ଦେହୁରୀ,ତୋଫାନ ପ୍ରଧାନ, ମାଗୁଣୀ ସାହୁ ଓ ଉଦ୍ଧବ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଯୋଗାଣ ଅଧିକାରୀ ଗଣେଶ୍ୱର ଚୌଧୁରୀ ମାର୍ଚ୍ଚ ୩୧ ସୁଦ୍ଧା ଚାଷୀଙ୍କ ଠାରୁ ଧାନ କିଣିବାର ଲିଖିତ ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଶାନ୍ତ ପଡ଼ିଥିଲେ।