ପରିବର୍ତ୍ତନ ଯାତ୍ରା ଆରମ୍ଭ; ଜିଲ୍ଲାର ସମସ୍ତ ଗାଁ’କୁ ଯାଇ ଦେବ ପରିବର୍ତ୍ତନର ବାର୍ତ୍ତା

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଇଚ୍ଛାପୁର ଗ୍ରାମପଞ୍ଚାୟତର ଐତିହାସିକ କନ୍ଦୁମୁଣ୍ଡାର ଜଗନ୍ନାଥ ମନ୍ଦିର ଠାରୁ ବିଜେପିର ବରିଷ୍ଠ ନେତା ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ବହୁ ପ୍ରତୀକ୍ଷିତ “ପରିବର୍ତ୍ତନ ଯାତ୍ରା”ର ଶୁଭ ଆରମ୍ଭ ହୋଇଛି। ପବିତ୍ର ରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସାରା ଜିଲ୍ଲା ଭ୍ରମଣ କରିବ ବୋଲି ସୁଚନା ଦେଇଛନ୍ତି ବେଦବାକ। ବର୍ତ୍ତମାନ ପରିସ୍ଥିତିରେ ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଉପରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଛି। ତେଲିଆ ମୁଣ୍ଡରେ ତେଲ ଭଳି ଧନୀ ସବୁବେଳେ ବିଭିନ୍ନ ଯୋଜନାରେ ଉପକୃତ ହେଉଛନ୍ତି ଓ ଗରିବ ଲୋକେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ପୁଣି ଜିଲ୍ଲାର ଡାକ୍ତରଖାନା ଗୁଡିକର ସୁଇପର ମାନେ ପ୍ରେସକ୍ରିପ୍ସନ ଲେଖି ଇଂଜେକସନ ଦେଉଛନ୍ତି। ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ଗୁଡିକୁ ୫ଟି ନାମରେ “ଦିଶନ୍ତି ଯେଡ଼େ, ନୁହଁନ୍ତି ସେଡେ” କରି ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ନଦେଇ ଠିକାଦାରଙ୍କ ରୋଜଗାରର କେନ୍ଦ୍ର କରାଯାଇଛି।

ଅନ୍ୟପକ୍ଷରେ ୨୨ ବର୍ଷ ଶାସନ କାଳରେ ଶିଳ୍ପ ପ୍ରତିଷ୍ଠା ନହେବାରୁ ଜିଲ୍ଲାରେ ରୋଜଗାର ହଜାର ହଜାର ଯୁବକ ଯୁବତୀ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ କଞ୍ଚାମାଲ, ବିଜୁଳି, ଗମନାଗମନ ପୁଣି ଶ୍ରମିକ ଭରପୁର ଥିଲେ ମଧ୍ୟ ଶିଳ୍ପ ପ୍ରତିଷ୍ଠା କରିବାକୁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କନ୍ଦୁମୁଣ୍ଡା ଠାରେ ଉପସ୍ଥିତ ନେତୃମଣ୍ଡଳୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଜିଲ୍ଲାରେ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ପରିବର୍ତ୍ତନ ତଥା ଆଗାମୀ ଦିନରେ ସ୍ୱାର୍ଥପର ରାଜନୀତିକୁ ଶେଷ କରି ସେବାମୂଳକ ରାଜନୀତି ପ୍ରତିଷ୍ଠା କରିବା ଓ ଲୋକମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ସହିତ ଏହି ଯାତ୍ରା ମାଧ୍ୟମରେ ଲୋକଙ୍କ ମୌଳିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀ ବେଦବାକ ପ୍ରକାଶ କରିଛନ୍ତି।

ଏହି ଯାତ୍ରା ଆଜି ସାହାଜବାହାଲ, ଫଟାମୁଣ୍ଡା ଓ ଇଚ୍ଛାପୁର ଆଜି ଗ୍ରାମକୁ ଯାଇଥିଲା। ଏହି ଯାତ୍ରାରେ ବିଜେପିର ବରିଷ୍ଠ ନେତା ଶ୍ରୀ ରଥ ସାହୁ, ସୁରେଶ ମିଶ୍ର, ପ୍ରଦୀପ ସାହୁ, ବ୍ୟାସଦେବ ମିଶ୍ର, ଦେବରାଜ ସାହୁ, ଭୋଜରାଜ ସାହୁ, ରାମ ସାହୁ, ରାଜେଶ ଷଡ଼ଙ୍ଗୀ, ଯଜାତି ମିଶ୍ର, କିରଟି କଲତା ପ୍ରମୁଖ ଯୋଗଦେଇଥିଲେ।