ଭୁବନେଶ୍ୱର,ଏନ୍ଏନ୍ଏସ୍: ସୃଜନୀ ପରିବାର ତରଫରୁ ଚେନ୍ନାଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟସ୍ତରୀୟ ସୃଜନ ମନ୍ଥନ କାର୍ଯ୍ୟକ୍ରମରେ ଡ଼.ବାସନ୍ତୀ ମହାନ୍ତିଙ୍କ କବିତା ସଙ୍କଳନ “ଚନ୍ଦ୍ରମଲ୍ଲୀ’ର ସମୀକ୍ଷା ସହ କବିତା ପାଠୋତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଅଶୋକ ସାମନ୍ତ ଏବଂ ସଂଯୋଜିକା ସୁମତି ମୁଣ୍ଡଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ସାରସ୍ୱତ ସନ୍ଧ୍ୟାକୁ ଅବସରପ୍ରାପ୍ତ ଆଇଏଫଏସ୍ ଆଶୁତୋଷ ସାମନ୍ତସିଂହାର ଉଦଘାଟନ କରିଥିଲେ । ଭାରତୀୟ ଦର୍ଶନରେ ପ୍ରେମ ହିଁ ଆଧ୍ୟାତ୍ମିକ ମହାନନ୍ଦା , ପ୍ରେମ ହିଁ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ । ପ୍ରେମ ହିଁ ସମଗ୍ର ସୃଜନ ଜଗତର ପ୍ରଥମ ପ୍ରେରଣା ଓ ଶବ୍ଦ ଯେଉଁଠି ଭାବକୁ ବ୍ୟକ୍ତ କରିବାରେ ସମର୍ଥ ରଖିଥାଏ ସେଠାରେ ରୂପକଳ୍ପର ପ୍ରୟୋଗ କବିତା ପାଇଁ ବୋଝ ବୋଲି ବିଶିଷ୍ଟ ସାହିତ୍ୟିକ କବି ଡା. ଫନୀ ମହାନ୍ତି ବ୍ୟକ୍ତ କରିଛନ୍ତି । ଏହାସହ ଡା. ବାସନ୍ତୀ ମହାନ୍ତିଙ୍କ କବିତା ସଂକଳନ “ଚନ୍ଦ୍ରମଲ୍ଲୀ’ର ପାଠକୀୟ ଆଦୃତ ନିମନ୍ତେ ବହୁ ଆଶାବାଦୀ ବୋଲି ପ୍ରକାଶ କରିଛନ୍ତି । ଏହି ବିଶେଷ କାର୍ଯ୍ୟକ୍ରମରେ ଆଲୋଚକଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟକାର ମେଜର ରମା ରମଣ ପାଢ଼ୀ, ପ୍ରଫେସର ଡା. ଅଞ୍ଜୁମନ ଆର, ଜାତୀୟସ୍ତରୀୟ କବି ହିନା ମୋଦି( ଗୁଜୁରାଟ ), ଲତା ତେଜେଶ୍ୱର “ରେଣୁକା’ (ମୁମ୍ବାଇ), ପାରମିତା ଷଢ଼ଙ୍ଗୀ( ମୁମ୍ବାଇ), ସୁବ୍ରତା ମିଶ୍ର ଓ ଅନ୍ୟତମ ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ର ଯୋଗଦେଇ ଡା. ବାସନ୍ତୀ ମହାନ୍ତିଙ୍କ କାବ୍ୟମୟ ବ୍ୟକ୍ତିତ୍ୱ ସହ କାବ୍ୟ ସଂକଳନ “ଚନ୍ଦ୍ରମଲ୍ଲୀ’ ଉପରେ ଅନ୍ତରଙ୍ଗ ଅଭିବ୍ୟକ୍ତି ରଖିଥିଲେ । ସୃଜନୀ ପରିବାରର ଜାତୀୟସ୍ତରୀୟ ସାରସ୍ୱତ ଆସରରେ ଓଡ଼ିଶା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ କବି, ନାରୀକବି, ସାହିତ୍ୟ ସାଧକ ତଥା ଅନେକ ବାଗ୍ମୀ ଯୋଗ ଦେଇଥିଲେ । ଉକ୍ତ ସାରସ୍ୱତ ଆସରରେ ଯୋଗ ଦେଇଥିବା ବରେଣ୍ୟ ନାରୀକବି ଇ. ନର୍ମଦା, ଗାୟତ୍ରୀ ପାଉଲ, ଜେମାମଣୀ ବିଷୋୟୀ, ସୁନିତା ଜିନ୍ଦଲ, ବର୍ଣ୍ଣାଳି ଶର୍ମା, ପି . ପୁଷ୍ପାଞ୍ଜଳି ଆଦି “ଚନ୍ଦ୍ରମଲ୍ଲୀ’ ଓଡ଼ିଆ କବିତାରୁ ବିଭିନ୍ନ ଭାଷାରେ ଅନୂଦିତ ତଥା ଭାବାନୁବାଦ କବିତା ପାଠ କରିବା ସହ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ ସ୍ୱନାମଧନ୍ୟା କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ ଓ ମହାଶ୍ୱେତା ପଟ୍ଟନାୟକ ସଙ୍ଗୀତ ପରିବେଷଣ କରିଥିଲେ । ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଗୁଣୀଜନଙ୍କ ସମାବେଶ ହୋଇଥିଲା ।