ଆରମ୍ଭ ହେଲା ସାଂସ୍କୃତିକ ମହାପର୍ବ ଚଇତି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ରାୟଗଡା, ଏନ୍ଏନ୍ଏସ୍: ରାୟଗଡା ଜିଲା ସାଂସ୍କୃତିକ ଲୋକ ମହୋତ୍ସବ ଚଇତି ୨୦୧୯ ଓ ପଲ୍ଲିଶ୍ରୀ ମେଳା ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏ ନେଇ ଜିଲାପାଳ ପ୍ରମୋଦ କୁମାର ବେହାର ଓ ଆରକ୍ଷୀ ଅଧୀକ୍ଷକ ଶର୍ବଣ ବିବେକ ଏମ୍ ଗୁରୁବାର ଅପରାହ୍ନରେ ମାଁ ମଝିଘରିଆଣି ମନ୍ଦିର ଯାଇ ପୁଜାର୍ଚ୍ଚନା ପରେ ଆଜ୍ଞାମାଳ ନେଇ ବିରାଟ ପଟୁଆରରେ ଜଗନ୍ନାଥ ମନ୍ଦିର ଯାଇଥିଲେ ସେଠାରୁ ପ୍ରତିକ ତିନି ଠାକୁରଙ୍କ ମୁର୍ତ୍ତୀକୁ ଏକ ଶୋଭାଯାତ୍ରାରେ ଚଇତି ମଣ୍ଡପକୁ ଅଣାଯାଇଥିଲା ।

ଚଇତି ମଶାଲ ଓ ଆଜ୍ଞାମାଳ ଚଇତି ମଣ୍ଡପରେ ସ୍ଥାପନ ପରେ ପଲ୍ଲିଶ୍ରୀ ମେଳା ଉଦଘାଟନ ଓ ଷ୍ଟଲ ପରିଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ମଞ୍ଚରେ ଅଭିଭଷଣ କାର୍ଯ୍ୟକ୍ରମ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଉଦଘାଟନୀ ଅବସରରେ ମୁଖ୍ୟଅତିଥି ରୂପେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ଏଥର ଚଇତି ପଡିଆରେ ଓରମାସ ତରଫରୁ ମୋଟ ୩୦୦ଟି ଷ୍ଟଲ ଲାଗିଛି। ଉଦ୍ୟାନ ବିଭାଗ, କୃଷି ବିଭାଗ ଅନ୍ୟ ବିଭାଗ ଷ୍ଟଲ ସାଙ୍ଗକୁ ଅନ୍ୟ ଜିଲାରୁ ଆସିଥିବା ହସ୍ତତନ୍ତ୍ର, ଟେରାକୋଟା, ବାମ୍ବୁ କାରିଗରଙ୍କ ଷ୍ଟଲ ଆଦି ଚଇତି ପଡିଆରେ ଉକ୍ତ ସାମଗ୍ରୀର ପ୍ରଦର୍ଶନୀ ହେବା ସହିତ ବିକ୍ରି ବାଟା ହେବାର ବ୍ୟବସ୍ଥା କରାଯାଇଛି।

ଚଳିତ ଥର ବ୍ୟବସାୟିକ ଦୃଷ୍ଟି କୋଣରୁ ୫ କୋଟି ଟଙ୍କାର ବ୍ୟବସାୟ ଚଇତିରେ ହେବା ନେଇ ଆକଳନ ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦିମ ଆଦିବାସୀଙ୍କ ସଂସ୍କୃତିକ ନୃତ୍ୟ। ଲାଞ୍ଜିଆ ସୋଉରା, ଡଙ୍ଗରିଆ କନ୍ଧ, ପରଜାଙ୍କ ଢ଼େମସା ସାଙ୍ଗକୁ କେସିଙ୍ଗାର ବାଜାସାଲ, ଖୋର୍ଦ୍ଧାର ପାଇକ ଆଖଡ଼ା, ପଡୋଶୀ ରାଜ୍ୟ କୋଲକାତା, ମଧ୍ୟପ୍ରଦେଶ ଓ ଛତିଶଗଡୀ ଲୋକନୃତ୍ୟ ଏବଂ ଦରିଆପାରି ଶ୍ରୀଲଙ୍କାର ଲୋକନୃତ୍ୟ ଓ ନେପାଳର ଲୋକନୃତ୍ୟ ପରିବେଷଣ ହୋଇଥିଲା ।