ଆଇଏମଏସ ଓ ସମ୍ ହସପିଟାଲ୍ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲକୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ଏଠାରେ ସିକ୍ସ ସିଗମା ହେଲ୍ଥକେୟାର ଏକ୍ସିଲେନ୍ସ ଆୱାର୍ଡ-୨୦୧୯ରେ ସମ୍ମାନିତ କରାଯାଇଛି। ଗୁରୁବାର ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ଆଫେୟାର୍ସ ବିଭାଗ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ସମ୍ମାନ ପ୍ରଦାନ କରିଛନ୍ତି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର୍ ଡାକ୍ତର ମନୋଜରନ ନାୟକଙ୍କୁ ମଧ୍ୟ ଏହି ଉତ୍ସବରେ ଚଳିତ ବର୍ଷର ଡାଇନାମିକ୍ ଏଂଟ୍ରୋପ୍ରିନିୟର ଭାବେ ସମ୍ମାନିତ କରାଯାଇଛି। ସୋଆ ପକ୍ଷରୁ ନିଗମାନନ୍ଦ ପୃଷ୍ଟି ଏବଂ ପ୍ରିତମ୍ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଇଏମଏସ ଓ ସମ୍ ହସପିଟାଲର ଭଳି ଡାକ୍ତରଖାନାଗୁଡିକରେ ଉତ୍ତମ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର ଉଚ୍ଚ ପ୍ରଶଂସା କରିଥିଲେ।

ସେ ଆହୁରି କହିଥିଲେ ଯେ ଡାଇବେଟିସ୍, ହାଇପରଟେନସନ୍, ହୃଦରୋଗ, କ୍ୟାନସର ଏବଂ କିଡନୀ ରୋଗ ଭଳି ନନ୍ କମ୍ୟୁନିକେବୁଲ୍ ଡିଜିଜେସରୁ ଯୁବ ପିଢ଼ିଙ୍କୁ ରକ୍ଷା କରିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଯେଉଁ ଅନୁଷ୍ଠାନ ମାନେ ଭଲ କାମ କରିଛନ୍ତି ସିକ୍ସ ସିଗମା ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଉଥିବାରୁ ଶ୍ରୀ ଠାକୁର ଖୁସି ବ୍ୟକ୍ତ କରିଥିଲେ। ସିକ୍ସ ସିଗମା ହେଲ୍ଥ କେୟାର ଭାରତୀୟ ସ୍ଥଳ ସେନା ସହ ଉଚ୍ଚ ଶିଖରରେ କାର୍ଯ୍ୟକରୁଥିବା ସୈନ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।