ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ୨ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଗୁରୁବାର ଭବାନୀପାଟଣା ଓ.ଏଲ୍.ଆଇ.ସି ଡିଭିଜନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ଭବାନୀପାଟଣା ସଦର ମହକୁମାଠାରେ ଏ ସଂପର୍କିତ ଏକ ବୈଠକରେ ଯୋଗଦେଇ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକମାନଙ୍କ କଲ୍ୟାଣ ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି। ସଂପ୍ରତି ରବି ଚାଷ କାର୍ଯ୍ୟ ସମୟରେ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣର ଜଳ ଯୋଗାଣକୁ ନିଶ୍ଚିତ କରିବାର ଆବଶ୍ୟକତା ଥିବାରୁ କୃଷକମାନଙ୍କୁ ସେମାନଙ୍କର ରହିଥିବା ସମସ୍ୟାର ସମାଧାନ କରିବାରେ ସହଯୋଗ କରିବାକୁ ଶ୍ରୀ ପତ୍ରୀ ଗୁରୁତ୍ୱାରୋପ କରିଥିଲେ।
୫ଟି ଆଧାରରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ ପୂର୍ବକ କାର୍ଯ୍ୟକରି ନିର୍ମାଣାଧୀନ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା, ମରାମତି ଆବଶ୍ୟକ କରୁଥିବା ପ୍ରକଳ୍ପର ସମୀକ୍ଷା କରି ସେସବୁକୁ ପୁନଃ ସଚଳ କରିବା ପାଇଁ ଆବଶ୍ୟକତା ଅନୁସାରେ ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ସହିତ କେତେକ କ୍ଷେତ୍ରରେ ସଠିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ତାଗିଦ କରିଥିଲେ।
ବୈଠକରେ ଲାଞ୍ଜିଗଡ ବିଧାୟକ ଶ୍ରୀ ଦିଶାରୀ ଓ ଅନ୍ୟ ବିଧାୟକଙ୍କ ପ୍ରତିନିଧିମାନେ ନିଜ ନିର୍ବାଚନ ମଣ୍ଡଳୀରେ ଉଠା ଜଳସେଚନ ପ୍ରକଳ୍ପର ସ୍ଥିତି ଓ ସମସ୍ୟାର ସମାଧାନ ସମ୍ପର୍କରେ ଓ.ଏଲ୍. ଆଇ.ସି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମୀକ୍ଷା ବୈଠକ ପରେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭେଜିପଦର-୧ ଠାରେ ନଦୀ ପ୍ରକଳ୍ପ ଉଠାଜଳସେଚନ ପ୍ରକଳ୍ପ ଏବଂ ଶରଧାପୁର ଗଭୀର ସେଚ କୂପ କ୍ଲଷ୍ଟର ପରିଦର୍ଶନ କରିଥିଲେ। ସେହିପରି ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ଆଜି ୨ୟ ଦିନରେ ଭବାନୀପାଟଣା ବ୍ଲକର ସଗଡା ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଫତାପଡା ସ୍ଥିତ ଡିପ୍ ବୋରୱେଲ କ୍ଲଷ୍ଟର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଏଠାରେ ଫୁଲକୋବି ଚାଷ କରି କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ।