ଜମ୍ମୁ-କଶ୍ମୀରର ଭୋଟର ତାଲିକା ବିବାଦ, ନିର୍ବାଚନ ଅଧିକାରୀ ଡାକିଲେ ରାଜନୈତିକ ଦଳ ବୈଠକ

ଶ୍ରୀନଗର,ଏଜେନ୍ସି: ଜମ୍ମୁକାଶ୍ମୀରରରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାରମ୍ଭିକ ପ୍ରକ୍ରିୟା । ରାଜ୍ୟରେ ସଂଶୋଧିତ ମତଦାତା ସୂଚୀରେ ରହିଛନ୍ତି ଜମ୍ମୁକାଶ୍ମୀରର ଅସ୍ଥାୟୀ ବାସିନ୍ଦା । ସେମାନଙ୍କୁ ମତଦାନ ପାଇଁ ଅନୁମତି ମିଳିବା ପରେ ଏହାକୁ ନେଇ ବିରୋଧ କରିଛି ସ୍ଥାନୀୟ ରାଜନୈତିକ ଦଳ । ଏହାପରେ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସମସ୍ତ ରାଜନୈତିକ ଦଳ ସହିତ ଏ ସମ୍ପର୍କରେ ଆଲୋଚନା ପାଇଁ ଏକ ବୈଠକ ଡାକିଛନ୍ତି ।

ଜମ୍ମୁକାଶ୍ମୀରର ସିଇଓ ହିର୍ଦ୍ଦେଶ କୁମାର ସିଂ ସମସ୍ତ ରାଜନୈତିକ ଦଳକୁ ଏକ ନିମନ୍ତ୍ରଣ ପତ୍ର ପଠାଇଛନ୍ତି । ଆସନ୍ତାକାଲି ବା ସେପ୍ଟେମ୍ବର ୫ ତାରିଖରେ ଜମ୍ମୁର ନିର୍ବାଚନ ଭବନରେ ଏକ ବୈଠକ ଆୟୋଜିତ ହେବ । ଏହାପରେ ଇଲେକ୍ଟ୍ରାଲ ରୋଲ୍ସର ସଂଶୋଧନ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ସୋମବାର ଅପରାହ୍ନ ୪ଟା ସମୟରେ ଏହି ବୈଠକ ବସିବାକୁ ଥିବାବେଳେ ମୁଖ୍ୟ ରାଜନୈତିକ ଦଳ ଏନ୍‌ସି, ବିଜେପି, କଂଗ୍ରେସ, ପିପୁଲ୍ସ କନଫରେନ୍ସ ଓ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିକୁ ବୈଠକରେ ସାମିଲ ରହିବା ପାଇଁ କୁହାଯାଇଛି ।