ଭୁବନେଶ୍ୱର,ଏନ୍ଏନ୍ଏସ୍: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ସମଗ୍ର ରାଜ୍ୟରେ ରାଜ୍ୟସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଗ୍ରୁପ ବି, ସି ଏବଂ ଡି ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ତାରିଖରୁ କଳାବ୍ୟଚ ପରିଧାନ କରି ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ୨୦ତମ ଦିନରେ। ଚୁକ୍ତିଭିତ୍ତିକ /ପ୍ରାରମ୍ଭିକ ନିଯୁକ୍ତି ଉଚ୍ଛେଦ ସହିତ ୬ ବର୍ଷ ଚୁକ୍ତିଭିତ୍ତିକ ନିଯୁକ୍ତି ସମୟ କୁ ନିୟମିତ ଚାକିରୀ କ୍ଷେତ୍ରରେ ଗଣନା ୨ମୁଖ୍ୟ ଦାବିକୁ ନେଇ ସମସ୍ତ ବ୍ଲକ, ତହସିଲ, ଜିଲ୍ଲା ମୁଖ୍ୟକାର୍ଯ୍ୟଳୟରେ ଅବସ୍ଥାପିତ ମୁଖ୍ୟଦପ୍ତର ଠାରୁ ଆରମ୍ଭ କରି ଭୁବନେଶ୍ୱର ସ୍ଥିତ ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟ ପର୍ଯ୍ୟନ୍ତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ମାଧ୍ୟାନ୍ନ ଭୋଜନ ବିରତି ସମୟରେ କଳାବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି।
ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଆନ୍ଦୋଳନ ବର୍ତ୍ତମାନ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଁଚିଛି। ସୋସିଆଲ ମେଡିଆରେ ଡିଜିଟାଲ ଆନ୍ଦୋଳନ,ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଦସ୍ତଖତ ଅଭିଯାନ,ସାଧାରଣ ସଭା, ବିଶାଳ ପଦଯାତ୍ରା ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ନିଜର ଯଥାଚିତ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କୁ ଜଣାଇଆସୁଛନ୍ତି ।
ରାଜ୍ୟ ସରକାର ଏବଂ ଚୁକ୍ତିଭିତ୍ତିକ ମହାସଂଘ ମଧ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଦୀର୍ଘଦିନ ଧରି ଆଲୋଚନା ହୋଇ ବହୁବାର ମୁଖ୍ୟଶାସନ ସଚିବଙ୍କୁ ଭେଟି ନିଜର ଦାବି ଜଣାଇଛି ମହାସଂଘ। ରାଜ୍ୟସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ଗୁଡିକୁ ସକାରାତ୍ମକ ଭାବେ ଗ୍ରହଣ କରି ଲିଖିତ ପ୍ରତିଶୃତି ଦେଇ ମଧ୍ୟ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଦାବି ଗୁଡିକୁ ପୂରଣ କରିବାରେ କୁଣ୍ଠାବୋଧ କରିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷର ନିଆଁ ଜନ୍ମାଇଛି। ଗତବର୍ଷ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ମାନିନେଇ କେବଳ ୫୦% ବେତନ ବୃଦ୍ଧି କରି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ସହ ଅନ୍ୟ ସମସ୍ତ ଦାବି ୨ ମାସ ସମୟ ମଧ୍ୟରେ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ କଲେ ନାହିଁ।