ଶିମିଳିପାଳ ଅଭୟାରଣ୍ୟରେ ନିଆଁ : ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ବାରିପଦା,ଏନ୍ଏନ୍ଏସ୍: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଘଟଣାର ଯାଞ୍ଚ ଓ ସ୍ଥିତାବସ୍ଥା ଅନୁଧ୍ୟାନ କରିବା ପାଇଁ ଗତକାଲି କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ଏକ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ମୟୂରଭଞ୍ଜରେ ଆସି ପହଁଞ୍ଚିଥିଲେ। ଉକ୍ତ ଟିମରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ଆଇଜିଏଫ ଡ. ଅମିତ ମଲିକ୍, ଭୁବନେଶ୍ୱର କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ର ଆଜି ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇ ସ୍ଥିତାବସ୍ଥା ଯାଞ୍ଚ କରିଥିଲେ। ଶିମିଳିପାଳ ଅଭୟାରଣ୍ୟ ଭିତରର ସ୍ଥିତାବସ୍ଥା ବିଷୟରେ ପଚରା ଯାଇଥିଲେ ମଧ୍ୟ ଟିମର ସଦସ୍ୟ ଶ୍ରୀମହାପାତ୍ର ଗଣମାଧ୍ୟମର ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ। ଏହାପରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଜଜ୍ଞଦତ୍ତ ପତି ଓ କେନ୍ଦ୍ରୀୟ ଟିମ୍ ସହିତ ଆରସିସିଏଫ ଯୋଗା ଦୟାନନ୍ଦ, ଶିମିପାଳ ନର୍ଥ ଓ ସାଉଥର ଉପନିର୍ଦ୍ଦେଶକ, କରଞ୍ଜିଆ ବନଖଣ୍ଡ ଅଧିକାରୀ ପ୍ରମୁଥ ପ୍ରଥମେ ଠାକୁରମୁଣ୍ଡା ମଧ୍ୟଦେଇ ଗୁଡ଼ୁଗୁଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସ୍ଥାନୀୟ ଜନସାଧାରଣ, ଶିମିଳିପାଳ ନର୍ଥ ଇକୋ ଟୁରିଜିମର ଇଡିସି ମେମ୍ବରମାନଙ୍କ ସହିତ ଆଲୋଚନା କରିବା ପରେ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରୁ ଶିମିଳିପାଳ ନ୍ୟାସନାଲ ପାର୍କ, ଜେନାବିଲ, ୟୁବିକେ, ଜେନାବିଲ, ଭବସା, ମେଘାସନୀ ପାହାଡ଼ ଉପରୁ ମୟୂରଭଞ୍ଜ ଲ୍ୟାଣ୍ଡସ୍କାପରେ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଦିଗକୁ ନିରୀକ୍ଷଣ କରି କେଉଁଠି ଧୂଆ ବାହାରୁଛି, ଜଙ୍ଗଲର ସ୍ଥିତାବସ୍ଥା ଆଦିକୁ ଅନୁଧ୍ୟାନ ଶେଷ କରି ୬ ନମ୍ବର ବଣିଆବସା ହୋଇ ଫେରି ବାରିପଦାରେ ପହଁଞ୍ଚିଛନ୍ତି। ଟିମ୍ ଫେରି ଯିବାପରେ ରିପୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିବେ ବୋଲି ଉପନିର୍ଦ୍ଦେଶକ ଶ୍ରୀପତି ଗଣମାଧ୍ୟମକୁ ସୂଚନା ଦେଇଥିଲେ।