ପୁରୀରେ ବାତ୍ୟା କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍

ପୁରୀ,ଏନ୍ଏନ୍ଏସ୍: ବାତ୍ୟା ଜୱାଦ ଜନିତ କ୍ଷୟକ୍ଷତି ଆକଳନ ପାଇଁ ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ। ଟିମ୍ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଦଳ ସହିତ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ମିଳିତ ଭାବେ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ନିମାପଡାରେ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ଅସ୍ତରଙ୍ଗ, କାକଟପୁର, କଣାସ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର, ଗୋପ ଆଦି ୧୧ଟି ବ୍ଲକର କ୍ଷୟକ୍ଷତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ସରକାରୀ ସୂଚନା ଅନୁସାରେ, ଜୱାଦ ବାତ୍ୟା ପୂର୍ବରୁ ପ୍ରାୟ ୩୦ ହଜାର ହେକ୍ଟର ଜମିରୁ ଫସଲ ଅମଳ ହୋଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ହେଲେ ଏକ ଲକ୍ଷ ହେକ୍ଟର ଚାଷଜମିରୁ ଅମଳ ହୋଇପାରି ନଥିଲା। ଏବେବି ଜମିରେ ଆଣ୍ଠୁଏ ଉଚ୍ଚାର ପାଣି ଜମିଛି। ପାଣିରେ ଭାସୁଛି ପାଚିଲା ଫସଲ । ଫଳରେ ଧାନ ସହ ଅନ୍ୟାନ୍ୟ ଶସ୍ୟ ବ୍ୟାପକ ନଷ୍ଟ ହୋଇଯାଇଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚାଷୀଙ୍କ ବ୍ୟାପକ କ୍ଷତି ଘଟିଥିବାବେଳେ ଏବେ କେବଳ ସରକାରୀ କ୍ଷତିପୂରଣକୁ ଅପେକ୍ଷା କରିଛନ୍ତି। କେନ୍ଦ୍ରୀୟ ଟିମ୍ ସହିତ ତହସିଲଦାର ଏବଂ ବିଡିଓଙ୍କ ଭଳି ପୁରୀ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାରେ ବ୍ୟାପକ ଫସଲ କ୍ଷତି ହୋଇଥିବା କେନ୍ଦ୍ରୀୟ ଟିମ ସଦସ୍ୟ କହିଛନ୍ତି।