ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଗଞ୍ଜାମ, ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି

ବ୍ରହ୍ମପୁର,ଏନ୍ଏନ୍ଏସ୍: ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା। ଆଜି ଯୋଜନାର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧ ଟାରେ ପୁରୁଷୋତ୍ତମପୁରରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏଥିରେ ୨୭ ଲକ୍ଷ ପରିବାର ଉପକୃତ ହେବେ। ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାବାଦ୍ ଡିଜିଟାଲ ପ୍ଲାର୍ଟଫର୍ମ ଜରିଆରେ ଜିଲ୍ଲା ପାଇଁ ୫୭୦ କୋଟି ଟଙ୍କାର ୬୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଛଡା ୧୫୮୩ କୋଟି ଟଙ୍କାର ୬୪୫ଟି ପ୍ରକଳ୍ପ ଓ ୧୨୭ ଗୋଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ହିଞ୍ଜିଳିକାଟୁ ଗସ୍ତରେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ସହରର ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ପହଞ୍ଚି ସେଠାରେ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହାପରେ ସେଠାରେ ୨୫ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୧୦୦କୋଟି ଟଙ୍କାର ବ୍ୟାଙ୍କ ଋଣ ସୁବିଧା ପ୍ରଦାନ କରିଛନ୍ତି। ଗଞ୍ଜାମ ଦର୍ଶନ ବସ୍ ର ଶୁଭାରମ୍ଭ କରିବା ସହିତ ହିଞ୍ଜିଳିକାଟୁ ସ୍ଥିତ ବୃନ୍ଦାବନ ବିଦ୍ୟାପୀଠ ଠାରେ ସରକାରଙ୍କ ୫ ଟି ଅଧିନସ୍ଥ ସ୍ମାର୍ଟ କ୍ଲାସ ରୁମ୍ ଓ ଅତ୍ୟାଧୁନିକ ଲେବ୍ରୋରେଟେରୀ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ଗହଣରେ ସମୟ ବିତାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ କିଶୋର ଦାଶ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁରର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା , ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।