ରାଜସ୍ଥାନ ଟେପ କାଣ୍ଡ: ଟେପରେ ଶୁଣାଯାଉଥିବା ସ୍ୱର ମୋର ନୁହେଁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗିି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଉଭୟ କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୋଷ ଲଦିବାର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଇତିମଧ୍ୟରେ ଆଜି ସକାଳୁ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ୨ଟି ଅଡିଓ ଟେପ ଜାରି କରିଛି। ଆଉ ଏହି ୨ଟି ଟେପରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ବିଜେପି ନେତା ସଞ୍ଜୟ ଜୈନଙ୍କ ସ୍ୱର ଶୁଭୁଥିବା କୁହାଯାଉଛି। ଉକ୍ତ ଟେପରେ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭନ ଦେଖାଇବା କଥା କୁହାଯାଉଛି। ଆଉ ଏହି ଅଭିଯୋଗକୁ ଭିତ୍ତି କରି ଜୟପୁର ପୁଲିସ ସଞ୍ଜୟ ଜୈନଙ୍କୁ ଗିରଫ କରିବା ସହ ଶେଖାୱତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

ଆଉ ଏହି ମାମଲାର ସଫେଇ ଦେବାକୁ ଯାଇ ଶେଖାୱତ ଟେପ କାଣ୍ଡକୁ ଭିତ୍ତିହୀନ ବୋଲି କହିଛନ୍ତି। ଶେଖାୱତ ଆହୁରି କହିଛନ୍ତି କି, ‘ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଟେପରେ ଶୁଭୁଥିବା ସ୍ୱର ମୋର ନୁହେଁ। ମୁଁ ମାରୱାଡି ହୋଇଥିବାବେଳେ ଟେପରେ ବିକାନେରୀ ଭାଷା ଶୁଣିବାକୁ ମିଳୁଛି। ପୁଲିସ ପଚରାଉଚୁରା ପାଇଁ ଡାକିଲେ ମୁଁ ହାଜିର ହେବି । ଏଥିସହିତ ମୁଁ ସମସ୍ତ ପ୍ରକାର ଯାଞ୍ଚ ପାଇଁ ପ୍ରସ୍ତୁତ।’

ଅନ୍ୟପଟେ ବିଜେପି ଟେପ କାଣ୍ଡକୁ ନେଇ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି। ବିଜେପି କହିଛି କି, ଶେଖାୱତଙ୍କ ବିରୋଧରେ ଏହା ଏକ ବଡ଼ ଷଡ଼ଯନ୍ତ୍ର। ଉକ୍ତ ଅଡିଓ ଟେପ ଯାଞ୍ଚ କରିବାର ଆବଶ୍ୟକତା ରହିଛି।