ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଦ୍ଧା କୁହାଯାଉଥିବା ପୁଲିସ କର୍ମଚାରୀଙ୍କ ଫିଟନେସ ପାଇଁ ଆଜି କମିସନରେଟ ପୁଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ତେବେ ପୁଲିସ କର୍ମଚାରୀଙ୍କ ଫିଟନେସ ନଥିଲେ ତାଙ୍କର ବେତନ ବୃଦ୍ଧି ହେବନାହିଁ। ସେହିପରି କୌଣସି ପୁଲିସ କର୍ମଚାରୀଙ୍କ ଫିଟନେସ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ଥ୍ୟ ଥାଏ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ। ଏନେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ତେବେ ସପ୍ତାହକ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ ହେବ। ଏହି ସମୟରେ କର୍ମଚାରୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ସେମାନଙ୍କ ଆନୁପାତିକ ଓଜନ ମାପ କରାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କର ଓଜନ ଓ ଉଚ୍ଚତା କେତେ ରହିବ ସେ ନେଇ ମଧ୍ୟ ଜଣାଇଦିଆଯିବ। ସାଧାରଣରେ ୧୯ରୁ ୨୫ ପର୍ଯ୍ୟନ୍ତ ବଡି ମାସ ଇଣ୍ଡେକ୍ସ(ବିଏମଆଇ) ସ୍ୱାଭାବିକ ଧରାଯାଉଥିବା ବେଳେ ୩୦ ବିଏମଆଇ ହେଲେ ମେଦ ବହୁଳତା ଧରାଯାଏ।
କରୋନା ମହାମାରୀ ସମୟରେ ପୁଲିସ କର୍ମଚାରୀ ସୁସ୍ଥ ଓ ସବଳ ରହିବା ଆବଶ୍ୟକତା ରହିଛି। ତେଣୁ ୩୦ ବିଏମଆଇ ଉପରେ ଥିବା ପୁଲିସ କର୍ମଚାରୀ ବାଧ୍ୟତାମୂଳକ ବ୍ୟାୟାମ କରିବା ସହ ୬ ସପ୍ତାହ ରିଫ୍ରେସର କୋର୍ସ କରିବେ। ଏହି ସମୟରେ ପୁଲିସ କର୍ମଚାରୀ ଓଜନ କମାଇବା ପାଇଁ କେତେ ଚେଷ୍ଟା କରୁଛନ୍ତି ତାହା ପରଖାଯିବ। ଯେଉଁମାନେ ଏହି ଆଦେଶର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।