ନିଜାମୁଦ୍ଦିନ ଫେରନ୍ତାଙ୍କୁ ଶୀଘ୍ର ଖୋଜିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: କରୋନା​ ସଂକ୍ରମଣ ବୃଦ୍ଧି ପାଇଁ ଦୁଇ ଦିନ ହେଲା ସର୍ବାଧିକ ଚର୍ଚ୍ଚାରେ ଥିବା ନିଜାମୁଦ୍ଦିନ ମରକଜ (ମସ୍‌ଜିଦ) ତାବଲିଗି ଜମାତ୍‌ରୁ ଗତ ୩୬ ଘଣ୍ଟା ମଧ୍ୟରେ ୨୩୬୧ ଜଣଙ୍କୁ ବାହାର କରାଯାଇଛି। ସେମାନଙ୍କ ମଧ୍ୟରୁ ୬୧୭ଜଣଙ୍କଠାରେ କରୋନା ଲକ୍ଷଣ ଠାବ କରିବା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଏହି ଘଟଣାରେ ୯ ହଜାରରୁ ଅଧିକ ଲୋକ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପ୍ରଶାସନ, ଡାକ୍ତରୀ ଦଳ, ପୁଲିସ ଓ ପରିବହନ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ମସ୍‌ଜିଦରୁ ବାହାର କରିବାରେ ନାକେଦମ୍‌ ହୋଇଛନ୍ତି। ମସ୍‌ଜିଦରୁ ବାହାର କରାଯାଇଥିବା ଲୋକଙ୍କ ମଧ୍ୟରୁ ୨୪ଜଣ ଗତ ୩୬ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷରେ ମସ୍‌ଜିଦର ​‌ମୌଲବୀ ସାଦ୍‌ଙ୍କ ସମେତ କର୍ମକର୍ତ୍ତା ଡଃ ଜିସାନ୍‌, ମୁଫ୍‌ତି ସେହଜାଦ, ଏମ୍‌ ସୈଫି, ୟୁନୁସ ଓ ମହମ୍ମଦ ସଲମାନଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।

ମୌଲବୀ ସାଦ୍‌ ଫେରାର ଥିବାବେଳେ ପୁଲିସ ତାଙ୍କୁ ଖୋଜୁଛି। ଏଥିସହିତ ଯଦି କୌଣସି ସ୍ଥାନୀୟ ଜନତା ମସ୍‌ଜିଦରେ ଆୟୋଜିତ ସମାବେଶ ସଂସ୍ପର୍ଶରେ ଆସିଥାଆନ୍ତି ସେମାନେ ନିଜ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିବା କହିଛନ୍ତି ସିସୋଦିଆ। ସେହିଭଳି ଦିଲ୍ଲୀ ପୁଲିସକୁ ସରକାର ୧୪ହଜାର ୩୪୫ ଫୋନ୍‌ ନମ୍ବର ଦେଇଛନ୍ତି ଓ ଏହି ନମ୍ବରଧାରୀଙ୍କୁ ଠାବ କରିବା ପାଇଁ କହିଛନ୍ତି । କ୍ବାରେଣ୍ଟାଇନରେ ଥିବା ଲୋକଙ୍କୁ ଠାବ କରିବା ପାଇଁ ଏହିତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।