କାର୍ଯ୍ୟରେ ଅବହେଳା ପାଇଁ ଭାରପ୍ରାପ୍ତ ସିଡିପିଓ ନିଳମ୍ବିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ୨ଟି ଗ୍ରାମକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପରିଦର୍ଶନରେ ଯାଇଥିବା ବେଳେ ନିମ୍ନମାନର ଛତୁଆ ପ୍ରସ୍ତୁତ ହୋଇଥିବା ନଜରକୁ ଆସିଥିଲା। ଏ ନେଇ ଭାରପ୍ରାପ୍ତ ସିଡିପିଓଙ୍କୁ ନିଳମ୍ବିତ କରାଯାଇଛି। ତେବେ ପ୍ରତିମାସ ୨୩ତାରିଖରେ ଛତୁଆ ପ୍ରସ୍ତୁତ ତଥା ପ୍ୟାକିଂ ହୋଇଥାଏ ଓ ପ୍ରତିମାସ ୧ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଇଥାଏ।

ଗତ ବୁଧବାର ଦିନ କାଲିମେଳା ବ୍ଲକ୍ ଗସ୍ତ ବେଳେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଏମପିଭି-୩୫ ଓ ଏମପିଭି-୨୭ ଗ୍ରାମ ପରିଦର୍ଶନ କରି ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ଏହି ସମୟରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ପଠାଇବା ପାଇଁ ଛତୁଆ ପ୍ରସ୍ତୁତ କରି ପ୍ୟାକିଂ ହେଉଥିଲା। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପରିଦର୍ଶନ ବେଳେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଛତୁଆ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ପାଇବା ସହ ପ୍ରସ୍ତୁତ ହୋଇଥିବା ଛତୁଆର ମାନ ଯାଞ୍ଚ କରିଥିଲେ। ଏହା ନିମ୍ନମାନର ହୋଇଥିବା ଜଣାପଡ଼ିଥିଲା। ଏହାକୁ ଦେଖି ସେ ଅସନ୍ତୋଷ ପ୍ରକାଶ କରିଥିଲେ।

ପରେ ଆଜି କାଲିମେଳା ସମନ୍ୱିତ ଶିଶୁ ବିକାଶ ଯୋଜନାର ଭାରପ୍ରାପ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲତା ମଞ୍ଜୁଳା ପ୍ରଧାନଙ୍କୁ ନିଳମ୍ବନ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ଗସ୍ତ ବେଳେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, କାଲିମେଳା ବିଡିଓ ଉମାଶଙ୍କର ଦଳେଇ ଉପସ୍ଥିତ ଥିଲେ।