ସିବିଏସଇ ଦଶମ ବାତିଲ ଓ ଦ୍ୱାଦଶ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରିକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛି। ପଦକ୍ଷେପସ୍ୱରୂପ, ଦଶମ ବୋର୍ଡ ପରିକ୍ଷାକୁ ବାତିଲ କରାଯାଇଥିବାବେଳେ ଦ୍ୱାଦଶକୁ ସ୍ଥଗିତ ରଖାଯାଇଛି। ବୋର୍ଡ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାପଦଣ୍ଡ ଅନୁସାରେ ଦଶମ ଶ୍ରେଣୀ ପିଲାଙ୍କ ଫଳାଫଳ ପ୍ରକାଶ ପାଇବ। ଅନ୍ୟପଟେ ଦ୍ୱାଦଶ ଶ୍ରେଣୀ ପରିକ୍ଷା ଜୁନ୍ ୧ର ସ୍ଥିତିକୁ ଦେଖି ସମୀକ୍ଷା କରାଯିବ। ଏନେଇ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ସିବିଏସଇ ବୋର୍ଡ ପରିକ୍ଷାକୁ ବାତିଲ କିମ୍ବା ଆଗକୁ ବଢ଼ାଇବା ପାଇଁ ଲଗାତାର ଭାବେ ଦାବି ହେଉଥିଲା। ଆଉ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଶିକ୍ଷା ମନ୍ତ୍ରଣାଳୟ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମେତ ଅନେକ ନେତା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସିବିଏସଇ ପରିକ୍ଷା ବାତିଲ କରିବାକୁ ଦାବି କରିଥିଲେ।