ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଗାଜିଆବାଦରେ ମୁଖ୍ୟ ଅଭିଯୁକ୍ତ ବିରୋଧରେ ମାମଲା ଦାଏର କଲା ସିବିଆଇ

ଲଖନଉ,ଏଜେନ୍ସି: ହାଥରସର ବୁଲଗଡ଼ି ଗାଁରେ ଯୁବତୀଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସିବିଆଇ ଗାଜିଆବାଦରେ ଏତଲା ଦାଖଲ କରିଛି। ସୂଚନା ଅନୁସାରେ ସେପ୍ଟେମ୍ବର ୧୪ ତାରିଖରେ ଏହି ଘଟଣା ଘଟିଥିବାବେଳେ ସେପ୍ଟେମ୍ବର ୨୯ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ିତା ଜଣଙ୍କ ପ୍ରାଣ ହରାଇଥିଲେ। ପରେ ପୁଲିସ ତାଙ୍କ ଶବକୁ ପରିବାରକୁ ନ ଜଣାଇ ପୋଡ଼ି ଦେଇଥିଲା। ଏହା ପରେ ରାଜ୍ୟ ତଥା ସାରା ଦେଶରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। ଏହାକୁ ଲକ୍ଷ କରି ଉତ୍ତରପ୍ରଦେଶ ସରକାର ଏହି କେସକୁ ସିବିଆଇକୁ ହସ୍ତାନ୍ତର କରିଥିଲେ।

ଉତ୍ତରପ୍ରଦେଶ ସରକାର ଏକ ଏନଆଇଟି ଟିମ ଗଠନ କରି ଉକ୍ତ ଘଟଣାର ତଦନ୍ତ ଚଳାଇଥିଲେ। ସେହିପରି ଏହି କେସଟି ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବାବେଳେ ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ମଧ୍ୟ ଶୁଣାଣି ହେଉଛି। ଏହି ମଧ୍ୟରେ ରାଜ୍ୟ ସରକାରଙ୍କ ଦରଖାସ୍ତରେ ଶନିବାର ମାମଲାର ସିବିଆଇ ଯାଞ୍ଚ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା।
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସିବିଆଇ ଆକ୍ସନମୋଡ଼ରେ ଆସିଯାଇଛି। ଏହି ପରିପ୍ରେକ୍ଷୀରେ ସିବିଆଇ ଗାଜିଆବାଦରେ ଏକ ମାମଲା ଦାଏର କରିଛି। ପୂର୍ବରୁ ଏହି ଘଟଣାରେ ଗିରଫ କରାଯାଇଥିବା ମୁଖ୍ୟ ଅଭିଯୁକ୍ତ ସନ୍ଦିପ ବିରୋଧରେ ମାମଲା ରୁଜୁ ହୋଇଛି।