ପରୀ ଘଟଣାର ସିବିଆଇ ତଦନ୍ତ କରାଯାଉ: ଧର୍ମେନ୍ଦ୍ର

ଭୁବନେଶ୍ୱର, ଢ଼େଙ୍କାନାଳ, ଏନ୍ଏନ୍ଏସ୍: ଢେଙ୍କାନାଳରେ ଚାଷୀ ସମାବେଶକୁ ସମ୍ବୋଧିତ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧ୍ରର୍ମେନ୍ଦ୍ର ପ୍ରଧାନ ଆଜି ପରୀ ପ୍ରସଙ୍ଗ ଉଠାଇଛନ୍ତି। ଏସ୍ଆଇଟି ତଦନ୍ତରେ ପରୀର ବାପା ମା’ ସନ୍ତୁଷ୍ଟ ନଥିବା ଏବଂ ସମସ୍ତ ପ୍ରକ୍ରିୟା ଉପରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ଲାଗି ସିବିଆଇକୁ ଦାୟିତ୍ୱ ଦିଆଯାଉ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉତ୍ତରପ୍ରଦେଶ ହାଥରସ ଘଟଣାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସେଠି ଯେପରି ଯୋଗୀ ସରକାର ସିବିଆଇକୁ ତଦନ୍ତଭାର ଦେଇଦେଲେ, ଏଠି ମଧ୍ୟ ରାଜ୍ୟ ସରକାର ସେଭଳି ପଦକ୍ଷେପ ନିଅନ୍ତୁ। ରାଜ୍ୟ ସରକାରଙ୍କ ଏସ୍ଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠିଲାଣି। ଏଣୁ ସରକାର ଆଉ ନିନ୍ଦିତ ନହୋଇ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତଭାର ଦେଇଦିଅନ୍ତୁ। ସତ ଯାହା ବି ହୋଇଥିଲେ ପଦାକୁ ଆସିବ ବୋଲି ସେ କହିଛନ୍ତି।

“ପରୀ ମା’ ଛାତି ପିଟି କାନ୍ଦୁଛି, ହେଲେ ଆପଣ କ’ଣ କଲେ। ନିର୍ବାଚନ ପୂର୍ବରୁ ଆପଣ ପରୀ ରଥ ବୁଲାଇଥିଲେ। ହେଲେ ୫ ବର୍ଷ ଶିଶୁ ପରୀର ହତ୍ୟା କିଏ ଓ କାହିଁକି କଲା, ତାହାର ହିସାବ କାହା ପାଖରେ ନାହିଁ। ତା’ର ଉତ୍ତର କିନ୍ତୁ ଆପଣଙ୍କୁ ଦେବାକୁ ପଡ଼ିବ। ଆପଣଙ୍କୁ ଓଡ଼ିଆ ଲୋକ ବିଶ୍ୱାସ, ଭରସା କଲେ। ଆଶୀର୍ବାଦ ବି କଲେ। ହେଲେ ପରୀ ହତ୍ୟାକାଣ୍ଡରେ ଆପଣଙ୍କ ସରକାରର ପ୍ରଭାବଶାଳୀ ଲୋକ ଏଥିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ହେଉଛି। କେବଳ ଗୋଟିଏ ପରୀ ନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଏ କଥା ବିଧାନସଭାରେ ଆପଣଙ୍କ ଦଳ ପକ୍ଷରୁ କୁହାଯାଇଛି। ଅଙ୍ଗ ତସ୍କରୀ ପାଇଁ ଏଭଳି ସାଂଘାତିକ କାଣ୍ଡ ଘଟୁଥିବା କୁହାଯାଉଛି। ଆପଣଙ୍କ ଦଳର ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆସୁଛି” ଏସବୁର ଜବାବ ପ୍ରଥମେ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଏହାମଧ୍ୟ କହିଛନ୍ତି ଯେ ସୁନା ଚାମଚ ମୁହଁରେ ନେଇ ଜନ୍ମ ହୋଇଥିବା ଲୋକ ଗରିବ ମା’ ଭଉଣୀଙ୍କ ଦୁଃଖ କୁଆଡ଼ୁ ଜାଣିବେ। ମୋଦୀ ଗରିବ ଘରର ପୁଅ। କୃଷକ, ମହିଳା, ଯୁବକ ସମସ୍ତଙ୍କ କଷ୍ଟ ସେ ବୁଝିପାରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମହିଳା ବିରୋଧୀ କହିବା ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦୀ ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଇ ମହିଳାଙ୍କୁ ସମ୍ମାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି। ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଣ୍ଟଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଣ୍ଟଟକୁ ଟ୍ରାନ୍ସଫର କରାଯାଇଛି। ଓଡିଶାରେ ମିଶନ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି। ମହିଳାଙ୍କୁ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ ପାଇଁ ମହିଳା ଶକ୍ତି କେନ୍ଦ୍ର ପ୍ରତିଷ୍ଠା ପାଇଁ ୭.୭୫ କୋଟି ଦିଆଯାଇଛି।