ବ୍ଲକ୍ ପ୍ରଶାସନର ଲିଖିତ ଏତାଲା ପରେ ମଧ୍ୟ ଥାନାରେ ରୁଜୁ ହେଲାନି ମାମଲା

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ବ୍ଲକ୍ ଅନ୍ତର୍ଗତ ରାଇତାବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ ଅର୍ଥ ହେରଫେର କରିଥିବା ନେଇ ବାରକୋଟ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟୁନୁ ମେହେର ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ବାରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପତ୍ର ସଂଖ୍ୟା-୨୪୫୮/୨୭-୦୮ ଅନୁସାରେ ରାଇତାବାହାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଧରିତ୍ରୀ ବେହେରା ଓ ନିର୍ବାହୀ ଅଧିକାରୀ ବିଷ୍ଣୁ ଚରଣ ପାତ୍ର ସରକାରୀ ଅର୍ଥ ହେରଫେର କରିଥିବାରୁ ଗତ ୨୦୧୯ ମସିହା ନଭେମ୍ବର ୬ ତାରିଖଠାରୁ ଅଭିଯୋଗ ଦିନ ପର୍ଯ୍ୟନ୍ତ କ୍ୟାସବୁକ ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିପାରୁ ନାହାନ୍ତି।

ଫଳରେ ଥିବାରୁ ଉକ୍ତ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବ୍ଲକ୍ ପ୍ରଶାସନ ପକ୍ଷରୁ ଉଭୟଙ୍କୁ ବାରମ୍ବାର ତାଗିଦ କରାଯାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବାରୁ ବିଭିନ୍ନ ସରକାରୀ ବିଲ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅର୍ଥ ପ୍ରଦାନ କରାଯାଇପାରୁ ନାହିଁ। ଅନ୍ୟପଟେ ଗତ ଜୁଲାଇ ୨୫ ତାରିଖଠାରୁ ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ଫେରାର ଥିବାରୁ ବିଡିଓ ଶ୍ରୀ ମେହେର ଥାନାରେ ଲିଖିତ ଅଭିଯୋଗ କରିବା ସହ ରାଇତାବାହାଲ ପଞ୍ଚାୟତର ସରପଞ୍ଚ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ବାରକୋଟ ଥାନାରେ ଅଭିଯୋଗ ପରେ ମଧ୍ୟ ମାମଲା ରୁଜୁୁ କରାନଯାଇ ବୁଝାମଣା ମାଧ୍ୟମରେ ମାମଲାକୁ ରଫାଦଫା ପାଇଁ ଉଦ୍ୟମ କରାଯାଉଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ରାଇତାବାହାଲ ସରପଞ୍ଚ ଶ୍ରୀମତୀ ବେହେରାଙ୍କ ମତାମତ ନେବାରୁ ଆମ ମଧ୍ୟରେ ବୁଝାମଣା ହୋଇଯାଇଥିବା ପ୍ରକାଶ କରିଥିଲେ। ସେହିପରି ବିଡିଓ ଶ୍ରୀ ମେହେର କୋହଳ ମନୋଭାବ ପୋଷଣ କରି ନିର୍ବାହୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ପ୍ରକାଶ କରିଛନ୍ତି। ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ଦାବି ପାଇଁ ପଞ୍ଚାୟତବାସୀ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।